Cyclone Arnab: ବାତ୍ୟା ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ୩ ଜିଲ୍ଲାକୁ ଯିବେ ୪ IAS ଅଧିକାରୀ
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଓଡ଼ିଶାର ୩ଟି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ। ଏଥିପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୪ ଜଣ IAS ଅଧିକାରୀ ଗସ୍ତ କରିବେ। ସେମାନଙ୍କୁ SRCଙ୍କ ଭଳି ଅତିରିକ୍ତ କ୍ଷମତା ଦିଆଯିବ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପାଇଁ ଅଜିତ କୁମାର ଓ ତେଜସ୍ୱିନୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି। କନ୍ଧମାଳ ଜିଲ୍ଲା ପାଇଁ ଶିବ ମାଲଭ୍ୟାଙ୍କୁ ନିୟୋଜିତ କରାଯାଇଥିବା ବେଳେ ଗଜପତି ଜିଲ୍ଲା ପାଇଁ ଆଉ ଜଣେ IAS ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ଏହି ଅଧିକାରୀମାନେ ନିଜ ନିଜ ଜିଲ୍ଲାରେ ପହଞ୍ଚି ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ।
ବିଶେଷକରି ବନ୍ୟା ଯୋଗୁଁ ଘରଦ୍ୱାର, ରାସ୍ତାଘାଟ, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କେତେ କ୍ଷୟକ୍ଷତି ହୋଇଛି, ତାହାର ଆକଳନ କରାଯିବ। ଆକଳନ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାରେ ରହିବେ। ଏଥିସହ ପ୍ରଭାବିତ ଲୋକଙ୍କ ପାଖରେ ସହାୟତା ପ୍ୟାକେଜ୍ ପହଞ୍ଚାଇବା ଓ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି କାର୍ଯ୍ୟରେ ମଧ୍ୟ ସହଯୋଗ କରିବେ।

