ଫୁଲବାଣୀ ବନଜ୍ୟୋତ୍ସ୍ନା ସାରସ୍ଵତ ମଞ୍ଚରେ ବୀରମହାରାଜପୁର କଲେଜ ଅଧ୍ୟକ୍ଷ ହିମାଂଶୁ ପାଢୀ ସମ୍ବର୍ଦ୍ଧିତ
ବୀରମହାରାଜପୁର : ଫୁଲବାଣୀ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ଷୋଡ଼ଶ ପୁସ୍ତକ ମେଳା ଅବସରରେ ସାରସ୍ୱତ ମଞ୍ଚରେ ବିଶିଷ୍ଟ ପ୍ରବନ୍ଧିକ, ସଂସ୍କୃତି ଗବେଷକ ତଥା ଜାତୀୟ ସ୍ତରରେ ପରିଚିତ ପରିଭ୍ରମଣର ଲେଖକ ଡ. ହିମାଂଶୁ ଶେଖର ପାଢୀଙ୍କୁ ମର୍ଯ୍ୟାଦା ଜନକ ବନଜ୍ୟୋତ୍ସ୍ନା ସାରସ୍ୱତ ପ୍ରତିଭା ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି I ସେହିଦିନ ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ କବି କିଶୋର ମିଶ୍ର ତାଙ୍କୁ ଔପଢୌକନ , ମାନପତ୍ର ଏବଂ ସ୍ମୃତି ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ I ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ସଂସଦର ସଭାପତି ପ୍ରଶାନ୍ତ କୁମାର ବେହେରା , ସମ୍ପାଦକ କାହ୍ନୁ ଚରଣ ଶତପଥି , ମୁଖ୍ୟ ଉପଦେଷ୍ଟା ତୀର୍ଥ ଜାନି , ଅଧ୍ୟାପକ ପ୍ରତାପ କୁମାର ରଥ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରମ ପ୍ରମୁଖ ଉପସ୍ଥିତ ଥିଲେ I
ଉଲ୍ଲେଖ ଯୋଗ୍ୟ ଯେ ସମ୍ପ୍ରତି ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଥିବା ଡ. ପାଢ଼ୀ ଙ୍କ ଅନେକ ପ୍ରବନ୍ଧ ରାଜ୍ୟସ୍ତରୀୟ ପତ୍ର ପତ୍ରିକା ମାନଙ୍କରେ ପ୍ରକାଶିତ ହୋଇ ପାଠକୀୟ ଆଦର ଲାଭକରି ଆସିଛି I ଇଂରାଜୀ ଭାଷାରେ ରଚିତ ତାଙ୍କର ଅନେକ ଭ୍ରମଣ ଆଲେଖ୍ୟ ଜାତୀୟ ସ୍ତରରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି I

