୧୧ ଦିନରେ ୧୧ ଦେଶକୁ ଟାର୍ଗେଟ୍ କଲା ଇରାନ! ନେଉଛି ଖେମିନିଙ୍କ ମୃତ୍ୟୁର ପ୍ରତିଶୋଧ
ତେହେରାନ୍,୧୦।୩ : ଇରାନ ଓ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଏବେ ଏକ ପ୍ରଳୟଙ୍କାରୀ ରୂପ ନେଇଛି। ବିଶେଷ କରି ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଏହି ସଂଘର୍ଷ ଆହୁରି ତୀବ୍ର ହୋଇଛି, ଯାହା ଆଜି ୧୧ତମ ଦିନରେ ପହଞ୍ଚିଛି। ଇରାନ ବର୍ତ୍ତମାନ କେବଳ ଇସ୍ରାଏଲ୍ ନୁହେଁ, ବରଂ ମଧ୍ୟପ୍ରାଚ୍ୟର ପ୍ରାୟ ୧୧ଟି ଦେଶ ଇସ୍ରାଏଲ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବାହାରିନ, କାତାର, କୁଏତ, ଇରାକ, ଓମାନ, ଆଜରବାଇଜାନ, ସାଇପ୍ରସ ଓ ତୁର୍କୀ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଜରିଆରେ କ୍ରମାଗତ ଭାବେ ଆକ୍ରମଣ କରୁଛି। ଶତ୍ରୁପକ୍ଷର ପରମାଣୁ କେନ୍ଦ୍ର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରୁଛି।
ଇସ୍ରାଏଲ୍ ମୁଖ୍ୟ ଟାର୍ଗେଟ୍ ରେ ରହିଛି, ତଥାପି ଆଖପାଖର ଅନେକ ଦେଶ ଯେଉଁଠାରେ ଆମେରିକାର ସାମରିକ ବେସ୍ ରହିଛି କିମ୍ବା ଯେଉଁ ଦେଶ ଗୁଡିକ ଇରାନର ବିରୋଧୀ, ସେମାନେ ମଧ୍ୟ ଏହି ଆକ୍ରମଣର ଶିକାର ହେଉଛନ୍ତି। ତେବେ ଇରାନର ଏହି ଆଭିମୁଖ୍ୟ ସମ୍ପୂର୍ଣ୍ଣ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି।
ଇରାନ ଏପର୍ଯ୍ୟନ୍ତ ୟୁଏଇ ବିରୁଦ୍ଧରେ ୧୪୦୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ୍ ଓ ଡ୍ରୋନ୍ ନିକ୍ଷେପ କରିଥିବା ଦାବି କରିଛି। ଗତ ରବିବାର, ଇରାନ ୧୬ଟି ବାଲିଷ୍ଟିକ୍ ମିସାଇଲ୍ ଓ ୨୦୦ଟି ଡ୍ରୋନ୍ ସହିତ ୟୁଏଇ ଉପରେ ଆକ୍ରମଣ କରିଥିଲା। ସେହିପରି ଇରାନ ମଧ୍ୟ ଲଗାତାର ବାହାରିନ ଉପରେ ଆକ୍ରମଣ କରିବା ଜରି ରଖିଛି। ବାହାରିନରେ ଏକ ଡ୍ରୋନ ଆକ୍ରମଣରେ ୩୨ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଏହି ଆକ୍ରମଣରେ ଦେଶର ସର୍ବବୃହତ ତୈଳ ବିଶୋଧନାଗାରରେ ମଧ୍ୟ ନିଆଁ ଲାଗିଥିଲା।
ଅନ୍ୟପଟେ, ଆମେରିକା ଓ ଇସ୍ରାଏଲ୍ ମଧ୍ୟ ଚୁପ୍ ଆକ୍ରମଣ କରିବା ଜାରି ରଖିଛନ୍ତି। ଇରାନର ପ୍ରତିଟି ଆକ୍ରମଣର ଦେଉଛନ୍ତି କଡ଼ା ଜବାବ । ତେବେ ଏହି ପରସ୍ପର ବିରୋଧୀ ଆକ୍ରମଣ ଯୋଗୁଁ ବିଶ୍ଵ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି ହୋଇଛି ଏବଂ ବିଶେଷ କରି ତେଲ ବଜାର ଉପରେ ଏହାର ଗଭୀର ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି।

