ହସ୍ପିଟାଲର ଶୌଚାଳୟରେ ମୃତ ଶିଶୁକୁ ଜନ୍ମ ଦେଇ ଯୁବତୀ ଫେରାର!
ରାଉରକେଲା,୧୧।୩: ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲରୁ ଏକ ଅମାନବୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ହସ୍ପିଟାଲର ଶୌଚାଳୟରେ ଏକ ଅପରିପକ୍ବ ଶିଶୁକୁ ଜନ୍ମଦେଇ ହସ୍ପିଟାଲରେ ଛାଡ଼ି ଜଣେ ଯୁବତୀ ପଳାଇଛନ୍ତି ।ଅପରିପକ୍ବ ଶିଶୁଟି ଆନୁମାନିକ ୫/୬ ମାସର ହୋଇଥିବା ଅନୁମାନ । ସେକ୍ଟର-୧୯ ଥାନା ଶିଶୁର ମୃତଦେହକୁ ଉଦ୍ଧାର କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଛି। ତେବେ ଯୁବତୀ ଜଣକ ଅବିବାହିତା ହୋଇଥିବାବେଳେ ତାଙ୍କ ବୟସ ୧୮ ବର୍ଷ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀ ସୋମବାର ରାତି ପ୍ରାୟ ୧୧ଟାବେଳେ ଏକ ଆମ୍ବୁଲାନ୍ସ ଜରିଆରେ ଆଇଜିଏଚ୍ ହସ୍ପିଟାଲରେ ପହଞ୍ଚିଥିଲେ। ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କୁ ହସ୍ପିଟାଲ ଆଉଟ୍ଡୋର୍କୁ ନେଇ ଯାଇଥିଲେ। ଏହାପରେ ଯୁବତୀ ଜଣକ ଟିକେଟ୍ କରିବା ପରେ କାଜୁଆଲ୍ଟିରେ ଦେଖାଇବାକୁ ଯାଇଥିଲେ। ପେଟରେ ସମସ୍ୟା ଥିବା କହିବାରୁ ଡାକ୍ତର ବିଭିନ୍ନ ପ୍ରକାର ପରୀକ୍ଷା କରିବାକୁ କହିଥିଲେ। ଏହାପରେ ଯୁବତୀ ଜଣକ ପରିସ୍ରା ଯିବି ବୋଲି କହିଥିଲେ। ତେବେ ପରିସ୍ରା କରିବାବେଳେ ପେଟରେ ଥିବା ଏହି ଅପରିପକ୍ବ ଶିଶୁଟି ଶୌଚାଳୟ ପ୍ୟାନ୍ରେ ଗଳିପଡ଼ିଥିଲା। ଆଉ ପରେ ଯୁବତୀ ଜଣକ କପଡ଼ା ବାନ୍ଧି ହସ୍ପିଟାଲରୁ ଯିବାକୁ ବାହାରିଥିଲେ। ନର୍ସିଂ କର୍ମୀ ପଚାରିବାରୁ ମୁଁ ଭଲ ଅଛି ବୋଲି କହି ଯୁବତୀ ସେଠାରୁ ପଳାଇଥିଲେ। ଆଉ ସକାଳେ ହସ୍ପିଟାଲର ସ୍ଵିୱିପର ଶୌଚାଳୟ ସଫା କରୁଥିବାବେଳେ ଏକ ଶିଶୁର ହାତ ଦେଖିଲେ। ଏହାପରେ ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ତେବେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରି ଏକ ଏମ୍ଏଲ୍ସି ଥାନାକୁ ପଠାଇଥିଲେ। ମୃତଦେହକୁ ହସ୍ପିଟାଲ ମାର୍ଗରେ ରଖିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ ଯୁବତୀ ଜଣକ ବୟସ ୧୮ ଲେଖିଥିଲେ ହେଁ ତାଙ୍କର ବିଭିନ୍ନ ସାର୍ଟିଫିକେଟ୍ ଯାଞ୍ଚ କରିବାକୁ ବୋଲି ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

