ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ! ସୋସିଆଲ ମିଡିଆରେ ନ୍ୟାୟପାଳିକାକୁ ଦୁର୍ନୀତିଗ୍ରସ୍ତ କହୁଥିବା ବ୍ୟକ୍ତିଙ୍କୁ କ୍ଷମା ନାହିଁ
ନୂଆଦିଲ୍ଲୀ,୧୧।୩: ଏନ୍ସିଇଆର୍ଟି ପାଠ୍ୟପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ଅଧ୍ୟାୟକୁ ନେଇ ଦେଖାଦେଇଥିବା ବିବାଦର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଶୁଣାଣି ସମୟରେ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ କିଛି ବ୍ୟକ୍ତି ଦାୟିତ୍ୱହୀନ ଭାବରେ କାର୍ଯ୍ୟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ନ୍ୟାୟପାଳିକା ବିରୋଧରେ ଅପମାନଜନକ ମତ ଦେଇଥିବା ଲୋକଙ୍କୁ ଜମା ଛଡା ଯିବ ନାହିଁ।
ସେ ସମସ୍ତ ବ୍ୟକ୍ତିଙ୍କୁ ଦିଆଯିବ କଠୋର ଦଣ୍ଡ । ସିଜେଆଇ ସୂର୍ଯ୍ୟକାନ୍ତ ଭାରତ ସରକାରଙ୍କୁ ଏପରି କାର୍ଯ୍ୟ ପାଇଁ ଦାୟୀ ହେଉଥିବା ସୋସିଆଲ ପ୍ଲାଟଫର୍ମ ଏବଂ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେଉଁମାନେ ସମାଲୋଚନାମୂଳକ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କୁ ନ୍ୟାୟାଳୟକୁ ଅଣାଯିବ। ତେଣିକି ଦେଶ ବାହାରେ ଥିଲେ ମଧ୍ୟ ସେମାନଙ୍କୁ ଛଡ଼ାଯିବ ନାହିଁ। ନ୍ୟାୟପାଳିକାର ମର୍ଯ୍ୟାଦାକୁ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୋସିଆଲ ମିଡିଆରେ ଦିଆଯାଇଥିବା ଏପରି ମନ୍ତବ୍ୟକୁ ଗମ୍ଭୀରତାର ସହିତ ନିଆଯିବ।
ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କିତ ଏନ୍ସିଇଆର୍ଟି ପାଠ୍ୟପୁସ୍ତକର ଅଧ୍ୟାୟର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଏନ୍ସିଇଆର୍ଟି ନିର୍ଦ୍ଦେଶକଙ୍କ ମତ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। କମିଟିରେ ଜଣେ ଖ୍ୟାତିସମ୍ପନ୍ନ ଆଇନବିତ୍ ନଥିବା ନେଇ କୋର୍ଟ ନୈରାଶ୍ୟଜନକ ଭାବ ପ୍ରକାଶ କରିଛନ୍ତି। ଯଦି ଅଧ୍ୟାୟଟି ପୁନଃ ଲେଖାଯାଏ ତେବେ ଡୋମେନ୍ ବିଶେଷଜ୍ଞଙ୍କ ଏକ କମିଟି ଏହାକୁ ଅନୁମୋଦନ ନ କରିବା ପର୍ଯ୍ୟନ୍ତ ପ୍ରକାଶିତ ନ କରିବାକୁ କଡା ଚେତାବନୀ ଦେଇଛନ୍ତି ସୁପ୍ରୀମକୋର୍ଟ।

