ରାଜ୍ୟସଭା ନିର୍ବାଚନ! ରହିଛି କ୍ରସ ଭୋଟିଂର ଭୟ ବିଭିନ୍ନ ଦଳ ମଧ୍ୟରେ ମାନସ ମନ୍ଥନ
ଭୁବନେଶ୍ୱର,୧୩।୩: ଆଉ ମାତ୍ର ତିନିଦିନ ପାରେ ଆରମ୍ଭ ହେବ ରାଜ୍ୟସଭା ନିର୍ବାଚନ। ସମୟ ଯେତିକି ଗଡ଼ୁଛି ଦ୍ଵନ୍ଦ ସେତିକି ବଢୁଛି । ବିରୋଧୀ ବିଜେଡି ଓ କଂଗ୍ରେସରେ ସନ୍ଦେହ ମଧ୍ୟ ସେତିକି ବଢ଼ୁଛି। ଦଳର କିଛି ନେତାଙ୍କୁ ନେଇ ରହିଛି ସନ୍ଦେହ । ଅବଶ୍ୟ କିଛି ନେତାଙ୍କୁ ନେଇ ସ୍ପଷ୍ଟ ଅଛନ୍ତି ଦଳର ସଭାପତି।
ଅନ୍ୟପଟେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ଦାୟିତ୍ଵ ତୁଲାଉଛନ୍ତି। ତେଣୁ ବିଧାୟକଙ୍କୁ ଏକାଠି କରିବାକୁ ସବୁ ପ୍ରକାରର ରଣନୀତି ପ୍ରସ୍ତୁତି କରିବାରେ ଲାଗପଡିଛନ୍ତି। ସେହିପରି ଚତୁର୍ଥ ଆସନ ହାତେଇବାକୁ ବିଜେପି ବି ଦିନରାତି ଏକ୍ କରିଦେଇଛି। ଫଳରେ ରାଜ୍ୟସଭା ନିର୍ବାଚନ ରୋଚକ ମୋଡ଼କୁ ଆସିଯାଇଛି।
ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ କଠୋର ନିଷ୍ପତ୍ତି ନେଇଛନ୍ତି। ଏନେଇ ସବୁ ବିଜେଡି ବିଧାୟକଙ୍କୁ ଚିଠି ଲେଖିଛନ୍ତି ଦଳର ସୁପ୍ରିମୋ। ଜାରି କରିଥିବା ହ୍ବିପକୁ ଅନୂପାଳନ କରିବାକୁ ଦେଲେ କଡା ନିର୍ଦ୍ଦେଶ । ଏହାସହ ଶୁକ୍ରବାର ଓ ଶନିବାର ନବୀନ ନିବାସରେ ସଂଧ୍ୟା ୫.୩୦ ରୁ ୭.୩୦ ପର୍ଯ୍ୟନ୍ତ ହେବାକୁ ଥିବା ଟ୍ରେନିଂରେ ସାମିଲ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
କେବଳ ସେତିକି ନୁହେଁ ଆସନ୍ତା ରବିବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ମଧ୍ୟ ଯୋଗ ଦେବେ ସବୁ ନେତା । ଦଳର ସୁପ୍ରିମୋ ଦେଇଛନ୍ତି ନିର୍ଦ୍ଦେଶ। ବିଜେଡି ପକ୍ଷରୁ ହ୍ବିପ୍ ଜାରି କରାଗଲା ପରେ କଂଗ୍ରେସ ପକ୍ଷରୁ ମଧ୍ୟ ହ୍ବିପ୍ ଜାରି କରାଯାଇଛି। ଏହାସହିତ ୧୩ ତାରିଖରୁ ୧୬ ତାରିଖ ମଧ୍ୟରେ କୌଣସି ବିଧାୟକ ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
କ୍ରସ ଭୋଟିଂର ଭୟ ବିଜେଡ଼ି ଏଵଂ କଂଗ୍ରେସକୁ ଘାରିଛି । ତେଣୁ ସଭାପତି ଭକ୍ତଚରଣ ଦାସ ପୁନର୍ବାର ବିଧାନସଭା ଯାଇ କଂଗ୍ରେସ ବିଧାୟକମାନଙ୍କ ସହ ଏ ସଂପର୍କିତ ଆଲୋଚନା କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ବିଜେପି ସୀମା ବାହାରକୁ ଯାଇ ରାଜନୈତିକ ଅସଦାଚରଣ କରୁଛି। ଛେଳି ମେଣ୍ଢା କିଣିବା ପରି କାରବାର କରୁଛନ୍ତି। ନିର୍ବାଚିତ ବିଧାୟକମାନଙ୍କର ସମ୍ମାନ ଅଛି। ଦଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମଧ୍ୟ ରହିଛି। ଆସନ୍ତା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ଅନୁଯାୟୀ ସବୁ ବିଧାୟକ ଭୋଟ୍ ଦେବେ ବୋଲି ସେ ପୁନରାବୃତ୍ତି କରିଛନ୍ତି।

