ଜାତୀୟ ସୁରକ୍ଷା ପାଇଁ ‘4PM News’ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ….
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ୟୁଟ୍ୟୁବ୍ର ‘4PM News’ ଚ୍ୟାନେଲକୁ ଭାରତରେ ବ୍ଲକ୍ କରାଯାଇଛି । ଗୁରୁବାର ଦିନ ଏହି ପଦକ୍ଷେପ ନିଆଯାଇଥିବା ବେଳେ ଏହା ପଛରେ ଜାତୀୟ ସୁରକ୍ଷା ଓ ସାମାଜିକ ଶାନ୍ତି କାରଣ ଦର୍ଶା ଯାଇଛି । ୟୁଟ୍ୟୁବ୍ ପକ୍ଷରୁ ଚ୍ୟାନେଲ ସମ୍ପାଦକ ସଞ୍ଜୟ ଶର୍ମାଙ୍କୁ ଇମେଲ୍ ଯାଇଥିବା ବେଳେ, ସେଥିରେ କୁହାଯାଇଛି ଯେ ସରକାରଙ୍କ ଆଦେଶ ଅନୁସାରେ ଏହି ଚ୍ୟାନେଲର କଣ୍ଟେଣ୍ଟ ଭାରତରେ ଦେଖାଯିବ ନାହିଁ । ବର୍ତ୍ତମାନ ଏହି ଚ୍ୟାନେଲ ଭାରତରେ ବନ୍ଦ ଥିବା ସତ୍ତ୍ୱେ ବିଦେଶରୁ ଦେଖିହେବ ବୋଲି ଜଣାପଡ଼ିଛି ।ଏପଟେ ଚ୍ୟାନେଲର ସମ୍ପାଦକ ସଞ୍ଜୟ ଶର୍ମା ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଉପରେ ଆଲୋଚନା କରୁଥିବାରୁ ତାଙ୍କ ଚ୍ୟାନେଲକୁ ଟାର୍ଗେଟ କରାଯାଉଛି । ସେ କହିଛନ୍ତି ଯେ ଶେଷ ସମୟରେ ତାଙ୍କ ଚ୍ୟାନେଲରେ ଇରାନର ଜଣେ ପ୍ରଫେସରଙ୍କ ସହ ହୋଇଥିବା ଏକ ସାକ୍ଷାତକାର ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ସମ୍ଭାବନା ଅଛି । ତେବେ ଏହି ଘଟଣା ପରେ ସୋସିଆଲ୍ ମିଡିଆ ଓ ମିଡିଆ ମହଳରେ ଆଲୋଚନା ବଢ଼ିଛି ଓ ସରକାରଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି ।

