ଅମେରିକା- ଇସ୍ରାଏଲ ଏବଂ ଇରାନ ବିବାଦ; ଆମେରିକାକୁ ଦାୟୀ କଲା ଇରାନ
ନୂଆଦିଲ୍ଲୀ,୧୮।୩: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ଏବେ ଭୟଙ୍କର ରୂପରେ ପରିଣତ ହୋଇଛି । ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଯାଇଥିବା ସତ୍ତ୍ବେ ଯୁଦ୍ଧ ଥମିବା ଅପେକ୍ଷା ଅଧିକ ତୀବ୍ର ହେଉଛି। ତେବେ ଏହି ଭୟାବହ ଯୁଦ୍ଧର ପ୍ରଥମ ସପ୍ତାହ ମଧ୍ୟରେ ଆମେରିକାର ୨୦୦ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ସହିତ ୩,୦୦୦ରୁ ଅଧିକ ସୈନ୍ୟ ଆହତ ହୋଇଥିବା ନେଇ ଇରାନ ଦାବି କରିଛି । ଇରାନ ଗୁଇନ୍ଦାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଯୁଦ୍ଧରେ ଆମେରିକା ନିଜର ୧୫୦ ସାମରିକ କେନ୍ଦ୍ର ଓ ୨୩ ପ୍ୟାଟ୍ରିଅଟ୍ ଏୟାର ଡିଫେନ୍ସ ସିଷ୍ଟମ ହରାଇଛି । ଏହାସହିତ ୩୭ଟି ବିମାନ ଓ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇଥିବାର ସୂଚନା ମିଳିଛି।
ଏହି ଯୁଦ୍ଧ ପାଇଁ ଇରାନ ଆମେରିକାକୁ ସଂପୂର୍ଣ୍ଣ ରୂପେ ଦାୟୀ କରିଛି। ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି କହିଛନ୍ତିଯେ, ଯୁଦ୍ଧ ପାଇଁ ଆମେରିକା ସମ୍ପୂର୍ଣ୍ଣ ଭାବେ ଦାୟୀ । କାରଣ ଇରାନ ପ୍ରଥମେ ଯୁଦ୍ଧ ଆରମ୍ଭ କରିନଥିଲା। ବରଂ ଆମେରିକା ଯୁଦ୍ଧ ଆରମ୍ଭ କରିଥିଲା। ତେଣୁ ଏହି ଯୁଦ୍ଧ ପାଇଁ ଇରାନର କିମ୍ବା ସାରା ବିଶ୍ବ ଯେଉଁ ମାନବୀୟ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ସେଥିପାଇଁ ଆମେରିକା ଦାୟୀ । ଅନ୍ୟପଟେ, ଆମେରିକା-ଇରାନ ମଧ୍ୟରେ ଥିବା ବିବାଦ ବୃଦ୍ଧି ପାଉଥିବାରୁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଜାହାଜ ଚଳାଚଳ ଉପରେ ଆଲୋଚନା କରିବା ପାଇଁ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପକ୍ଷରୁ ଆଜି ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାର ରହିଛି।

