Telangana SBI ATM Robbery: ଆମ୍ବୁଲାନ୍ସରେ ଆସି ATM ଲୁଟ୍, ନାଇଟି ପିନ୍ଧି ଆସିଥିଲେ ଦୁର୍ବୃତ୍ତ
ତେଲେଙ୍ଗାନା: ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲା ଗାନ୍ଧାରୀ ଅଞ୍ଚଳରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଏକ ATMରୁ ଟଙ୍କା ଲୁଟ୍ ହୋଇଛି। ଅକ୍ଟୋବର ୧୧ ତାରିଖ ରାତି ପ୍ରାୟ ୧ଟାରୁ ୧ଟା ୩୦ ମଧ୍ୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ନାଇଟି ପିନ୍ଧିଥିବା କିଛି ଦୁର୍ବୃତ୍ତ ଆମ୍ବୁଲାନ୍ସରେ ଆସି ATM ମେସିନ୍ ଭାଙ୍ଗି ଭିତରେ ଥିବା ଟଙ୍କା ନେଇ ଫେରାର ହୋଇଯାଇଥିଲେ।
ଘଟଣାର CCTV ଫୁଟେଜ୍ ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ଉଦ୍ୟମ କରୁଛି। ଖବର ପାଇ ପୋଲିସ ଓ କ୍ଲୁଜ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି।
ତେବେ ATMରୁ କେତେ ଟଙ୍କା ଚୋରି ହୋଇଛି, ସେନେଇ ଏଯାଏଁ ଅଧିକାରିକ ସୂଚନା ମିଳିନାହିଁ। ଆମ୍ବୁଲାନ୍ସ ବ୍ୟବହାର କରିବା ଏବଂ ନାଇଟି ପିନ୍ଧି ଆସିବା ଘଟଣାକୁ ଅଧିକ ଚର୍ଚ୍ଚାରେ ରଖିଛି। ଅଭିଯୁକ୍ତମାନଙ୍କ ପରିଚୟ ଓ ଚୋରି ହୋଇଥିବା ଟଙ୍କାର ପରିମାଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

