ଜ୍ୟୋତିଷର ମୁହଁରେ ଆସ୍ଥା, ଭିତରେ ଲୁଚିଥିଲା ଭୟଙ୍କର ଖେଳ
ମହାରାଷ୍ଟ୍ର,୨୧|୩: ମହାରାଷ୍ଟ୍ରର ନାଶିକରୁ ଆସିଛି ଏକ ଭୟଙ୍କର ଘଟଣା। ଅଶୋକ ଖରାତ ନାମକ ୬୭ ବର୍ଷୀୟ ଜଣେ ନିଜକୁ ପ୍ରଭାବଶାଳୀ ଜ୍ୟୋତିଷ ବୋଲି ପରିଚୟ ଦେଇ ମହିଳାମାନଙ୍କୁ ନିଜ ଜାଳରେ ଫସାଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୋଲିସ କହିଛିଯେ, ସେ ମହିଳାମାନଙ୍କର ବ୍ୟକ୍ତିଗତ ସମସ୍ୟା ସମାଧାନ କରିବା ନାଁରେ ଡାକି, ଭୟ ଓ ଧମକ ଦେଇ ସେମାନଙ୍କୁ ଶୋଷଣ କରୁଥିଲେ। ତଦନ୍ତ ସମୟରେ ତାଙ୍କ ଅଫିସରୁ ଲୁଚାଇ ରଖାଯାଇଥିବା କ୍ୟାମେରା ଓ ୫୮ ଜଣ ମହିଳାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ମିଳିଥିବା କଥା ସାମ୍ନାକୁ ଆସିଛି।
ଏହି ମାମଲା ଆଉ ଅଧିକ ଚର୍ଚ୍ଚାରେ ଆସିଛି, କାରଣ ଅଭିଯୁକ୍ତଙ୍କ ସହ କିଛି ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି | ଆଶ୍ଚର୍ଯ୍ୟର କଥା, ମହାରାଷ୍ଟ୍ର ମହିଳା କମିଶନ ଅଧ୍ୟକ୍ଷା ରୂପାଲି ଚାଞ୍ଚଲକରଙ୍କୁ ଏକ କାର୍ଯ୍ୟକ୍ରମରେ ଅଭିଯୁକ୍ତ ଅଶୋକ ଖରାଟଙ୍କ ପାଦ ଧୋଇବା ଦେଖାଯାଇଥିଲା। ଆଉ ଏହା ପରେ ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ବିବାଦ ଜୋର ଧରିଥିଲା | ରାଜନୈତିକ ବର୍ଗର ବରିଷ୍ଠ ନେତାମାନେ ରୂପାଲିଙ୍କ ବିରୁଦ୍ଧରେ ଇସ୍ତଫା ଦାବି ଏବେ ତୀବ୍ର ହେବାରେ ଲାଗିଛି। ରିପୋର୍ଟ ଅନୁସାରେ, ତାଙ୍କ ଅଫିସ ଓ ଫାର୍ମହାଉସରେ ଅବୈଧ କାର୍ଯ୍ୟକଳାପ ଚାଲୁଥିବା ସନ୍ଦେହରେ ତଦନ୍ତ ହେଉଛି, ଏବଂ ରାଜ୍ୟ ସରକାର ଏହାର ଗୁରୁତ୍ୱ ଦେଖି ଏକ SIT ଟିମ ଗଠନ କରିଛନ୍ତି। ପୋଲିସ ଛାପାମାରିବା ସମୟରେ ପିସ୍ତଲ, ଓ ଅନ୍ୟ ସନ୍ଦେହଜନକ ଦଲିଲ ମଧ୍ୟ ଜବତ କରିଛି। ଏହି ଘଟଣା ଏକ ସ୍ପଷ୍ଟ ସତ୍ୟ ସାମ୍ନାକୁ ଅସିଛିଯେ, ବିଶ୍ୱାସ କରିବା ଠିକ କିନ୍ତୁ ଅନ୍ଧବିଶ୍ୱାସ ନୁହେଁ | ଆଜିର ସମୟରେ ଅନେକ ଲୋକ ଆସ୍ଥାର ମିଛ ମୁଖଟା ପିନ୍ଧି ଭୟଙ୍କର ଅପରାଧ କରୁଛନ୍ତି ତେଣୁ ସେ ପ୍ରତି ସତର୍କ ରହିବା ଅତ୍ୟନ୍ତ ଆବଶ୍ୟକ |

