ସହିଦ ଦିବସ ଅବସରରେ ଉଲୁଣ୍ଡା ବ୍ଲକ ରେ ପଦଯାତ୍ରା ଆୟୋଜିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ରେ “ସହିଦ ଦିବସ” ଅବସରରେ “ମେରା ଯୁବା ଭାରତ, ସୋନପୁର” ତଥା ଖେଳ ଓ ଯୁବା ବ୍ୟାପାର ବିଭାଗ , ଭାରତ ସରକାରଙ୍କ ନିର୍ଦେଶ କ୍ରମେ ନାଗେଶ୍ଵର ଯୁବକ ସଂଘ ନାକଡେଇଁ ଓ ଯୁବ ମହାସଂଘ ଉଲୁଣ୍ଡାଙ୍କ ସହଯୋଗରେ ଏକ ଭବ୍ୟ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପଦଯାତ୍ରା ମାଧ୍ୟମରେ ଦେଶର ଶହୀଦମାନଙ୍କ ଅମର ବଳିଦାନକୁ ସ୍ମରଣ କରାଯାଇଥିଲା। ବିଶେଷ କରି ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଥାପର ଓ ଶିଭରାମ ରାଜଗୁରୁଙ୍କ ଅଦ୍ଭୁତ ବଳିଦାନକୁ ସ୍ମରଣ କରି ଯୁବପିଢିଙ୍କ ମଧ୍ୟରେ ଦେଶପ୍ରେମ, ଏକତା ଓ ଦାୟିତ୍ୱବୋଧକୁ ଜାଗୃତ କରାଯାଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ସେନା ଅଧିକାରୀ ଅମ୍ବିରିଶ୍ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ତାଙ୍କର ଉଦ୍ବୋଧନରେ ଶହୀଦମାନଙ୍କ ବଳିଦାନକୁ ସ୍ମରଣ କରି ଯୁବମାନଙ୍କୁ ଦେଶ ସେବା ଓ ନୈତିକ ମୂଲ୍ୟବୋଧ ପାଳନ ପାଇଁ ପ୍ରେରିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଧର୍ମ ନିରଞ୍ଜନ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦେଶପ୍ରେମ ଓ ସମାଜସେବାର ଗୁରୁତ୍ୱ ଉପରେ ତାଙ୍କର ମତାମତ ରଖିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସକ୍ସେସ୍ ଆଇଟି କମ୍ପ୍ୟୁଟର ଏଡୁକେସନ୍, ଉଲୁଣ୍ଡାର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବେହେରା, ଯୁବ ମହାସଂଘ ସଭାପତି ମହେଶ ରଞ୍ଜନ ପୁରୋହିତ, ଇତିହାସ ଅଧ୍ୟାପକ କୈଳାଶ ପୁରୋହିତ, ଏ.ବି.ଡି.ଓ. ଶୁଭ୍ରାଂଶୁ ଶେଖର ମଲ୍ଲିକ ଓ ସାମାଜିକ କର୍ମୀ ପ୍ରମୋଦ ପଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ। ଅତିଥିମାନଙ୍କର ପରିଚୟ ଶମ୍ଭୁରାଜ କର୍ଣ୍ଣ ପ୍ରଦାନ କରିଥିଲେ। ଏହି ପଦଯାତ୍ରାରେ ବହୁ ସଂଖ୍ୟକ ଯୁବକ-ଯୁବତୀ ଓ ସ୍ଥାନୀୟ ନାଗରିକମାନେ ଯୋଗଦେଇ ଦେଶପ୍ରେମର ସନ୍ଦେଶକୁ ପ୍ରଚାର କରିଥିଲେ।“ଶହୀଦମାନଙ୍କ ବଳିଦାନକୁ ସ୍ମରଣ କରି, ଆମେ ସମସ୍ତେ ଏକତ୍ର ହୋଇ ଦେଶପ୍ରେମ ଓ ଏକତାକୁ ଆଉ ଶକ୍ତିଶାଳୀ କରିବା” ବୋଲି ସମସ୍ତଙ୍କୁ ଆହ୍ୱାନ ଜଣାଯାଇଥିଲା।ଶେଷରେ ଡ. ହୃଷୀକେଶ ଦେହେରୀ ଧନ୍ୟବାଦ ଜ୍ଞାପନ କରି ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

