LPG ପାଇଁ ରାସ୍ତାରୋକ୍! ରାସ୍ତାରେ ସିଲିଣ୍ଡର ରଖି ଲୋକଙ୍କ ଅବରୋଧ
ସୁନ୍ଦରଗଡ,୨୫।୩: LPG ପାଇଁ ରାସ୍ତାରୋକ୍। ଲୋକେ ରାସ୍ତା ଉପରେ ସିଲିଣ୍ଡର ରଖି ରାସ୍ତା ଅବରୋଧ କରିଛନ୍ତି। ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଛି ସୁନ୍ଦରଗଡ଼ ଜିଲ୍ଲାରେ। ସୁନ୍ଦରଗଡ ସହର ବାଇପାସ୍ ରାସ୍ତାରେ ଥିବା ଇଣ୍ଡେନ ଗ୍ୟାସ ଗୋଦାମ ନିକଟରେ ରାସ୍ତାରେ ସିଲିଣ୍ଡର ରଖି ଲୋକେ ରାସ୍ତା ଅବରୋଧ କରିଥିବାର ଘଟଣା ସାମ୍ନାକୁ ଆସିଛି। ଲୋକଙ୍କ କହିବା ଅନୁସାରେ, ଗତ ୪ ଦିନ ଧରି ଗ୍ୟାସ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ଲୋକେ | ରନ୍ଧନ ଗ୍ୟାସ ମିଳୁନାହିଁ । ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବା ସତ୍ତ୍ୱେ ଗ୍ୟାସ ନ ମିଳିବାରୁ ଶେଷରେ ନିରାଶ ହୋଇ ଫେରୁଛନ୍ତି ।
ତେଣୁ ଏହି ଘଟଣାରେ ଲୋକେ ଉତ୍ତ୍ୟକ୍ତ ହୋଇ ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଯାହା ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଛି | ସେପଟେ ଗ୍ୟାସ ନମିଳିବା ଯାଏଁ ଏହି ରାସ୍ତା ଅବରୋଧରୁ ହଟିବୁ ନାହିଁ ବୋଲି ଖାଉଟି କହିଛନ୍ତି। ତେବେ ପୁଲିସ ଆସି ରାସ୍ତାର ଗୋଟିଏ ପାର୍ଶ୍ୱକୁ ଖାଲି କରିଥିଲେ। ମାତ୍ର କିଛି ସମୟ ପରେ ଲୋକେ ପୁଣି ସେ ରାସ୍ତାରେ ଗ୍ଯାସ ସିଲିଣ୍ଡର ରଖି ଅବରୋଧ କରିଛନ୍ତି |
ସୂଚନାଯୋଗ୍ୟ ମଧ୍ୟପ୍ରାଚ୍ୟର ଚାଲିଥିବା ବିବାଦ ଯୋଗୁଁ ଏଭଳି ଗ୍ୟାସ ସଙ୍କଟ ଉପୁଜିଛି | ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ସେପଟେ ହୋଟେଲ ରେଷ୍ଟୁରାଣ୍ଟ ଆଦି ଗୁଡିକରେ ଭୟଙ୍କର ସ୍ଥିତି ଦେଖାଦେଇଛି | ରନ୍ଧନ ଗ୍ୟାସର ଅଭାବ ଯୋଗୁଁ ଛୋଟ ମୋଟ ଜଳଖିଆ ଦୋକାନୀ ଗୁଡିକ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି | ଯଦି ଆଗକୁ ଏଭଳି ଯୁଦ୍ଧ ଜାରି ରୁହେ ତାହାଲେ ଆଉ ଏକ ବିରାଟ ସମସ୍ୟା ମାଡି ଆସିବା ଭାରତ ଆଡ଼କୁ | ଅପରପକ୍ଷରେ ସରକାର କହୁଛନ୍ତିକି ଦେଶରେ ପ୍ରଚୁର ପରିମାଣରେ ଗ୍ୟାସ ମହଜୁଦ ଅଛି | ଚିନ୍ତା କରିବାର ଅବଶ୍ୟକତା ନାହିଁ | ତେବେ ଆଗକୁ କି ବିପଦ ଆଣିବ ତାହା ଆଗାମୀ ସମୟ କହିବ |

