ସଂସଦର ଉଦଘାଟନ ପରେ ରାହୁଲଙ୍କ ସମାଲୋଚନା, କହିଲେ- ଏହାକୁ ରାଜ୍ୟାଭିଷେକ ଭାବୁଛନ୍ତି ପିଏମ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି। ଉଦଘାଟନ ସମାରୋହ ପରେ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ରାଜ୍ୟାଭିଷେକର ଆଖ୍ୟା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ସଂସଦ ହେଉଛି ଜନତାଙ୍କ ସ୍ଵର। ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦଘାଟନକୁ ରାଜ୍ୟାଭିଷେକ ଭାବୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ଐତିହାସିକ କାର୍ଯ୍ୟକ୍ରମରୁ ଦୂରରେ ରଖାଗଲା, ଯାହା ବିଜେପି ଏବଂ ଆରଏସଏସର ଦଳିତ, ଆଦିବାସୀ ଏବଂ ପଛୁଆ ସମୁଦାୟ ବିରୋଧୀ ଆଭିମୁଖ୍ୟକୁ ଦର୍ଶାଉଛି ବୋଲି ବିରୋଧୀ ଦଳ କହିଛନ୍ତି।

କଂଗ୍ରେସ ଟାର୍ଗେଟ୍ କରି କହିଛି, ଏମିତି ଏକ ଆତ୍ମମୁଗ୍ଧ ତାନାଶାହା ପ୍ରଧାନମନ୍ତ୍ରୀ ସଂସଦର ନୂତନ ଭବନର ଉଦଘାଟନ କରିଛନ୍ତି, ଯିଏ ସଂସଦୀୟ ପରମ୍ପରାକୁ ଘୃଣା କରେ। ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ଦେଶର ପ୍ରଥମ ଆଦିବାସୀ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟର ନିର୍ବାହନ କରିବାକୁ ଦିଆଗଲା ନାହିଁ।

ପାର୍ଟିର ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ କହିଛନ୍ତି ଯେ, ସଂସଦର ନୂତନ ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦୂରରେ ରଖାଗଲା। ଏବେ ଉଦଘାଟନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଣଦେଖା କରାଗଲା। ସାମ୍ବିଧାନିକ ପଦରେ ଅଧିଷ୍ଠିତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନୀ ଲାଭ ପାଇଁ ବ୍ୟବହାର କରିଛନ୍ତି, କିନ୍ତୁ ଏହି ଧରଣର ଐତିହାସିକ ମୁହୂର୍ତ୍ତର ଅଂଶ ବିଶେଷ ହେବାକୁ ଦେଲେ ନାହିଁ।