ଖୁବ୍ ଶୀଘ୍ର ଚାଲିବ ପୁରୀରୁ କୋରାପୁଟକୁ ନୂଆ ଏକ୍ସପ୍ରେସ୍! ସପ୍ତାହକୁ ତିନିଦିନ…
ଭୁବନେଶ୍ଵର, ୧୪ |୫: ଖୁବ ଶୀଘ୍ର ପୁରୀରୁ କୋରାପୁଟକୁ ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ। ଯାତାୟାତ କରିବା ହେବ ଆହୁରି ସହଜ ଏବଂ ସୁଗମ | କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଅନୁମୋଦନ ମିଳିଛି । ସପ୍ତାହକୁ ତିନିଦିନ ଏହି ଏକ୍ସପ୍ରେସ ଟ୍ରେନଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟକୁ ଯିବ।
ସୂଚନା ମୁତାବକ ସପ୍ତାହର ସୋମବାର, ଗୁରୁବାର ଓ ଶନିବାର ଦିନ ପୁରୀରୁ କୋରାପୁଟ ଅଭିମୁଖେ ଟ୍ରେନ ଛାଡ଼ିବ | ସେହିପରି କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ପୁରୀ ଅଭିମୁଖେ ଯାତ୍ରା କରିବ ଟ୍ରେନ । ଟ୍ରେନ ନମ୍ବର ୧୮୪୦୭ ଥିବାବେଳେ ସମୁଦାୟ ୧୯ଟି ଷ୍ଟପେଜ ରହିଛି | ଷ୍ଟପେଜ୍ ଗୁଡିକ ହେଉଛି, ଖୋର୍ଦ୍ଧା ରୋଡ,ଭୁବନେଶ୍ୱର,ନରାଜ-ମାର୍ଥାପୁର,ଢେଙ୍କାନାଳ,ତାଳଚେର ରୋଡ୍,ଅନୁଗୋଳ,ବଇଣ୍ଡା,ରେଢାଖୋଲ,ସମ୍ବଲପୁର,ବରଗଡ ରୋଡ୍, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା,ମୁନିଗୁଡା,ରାୟଗଡା,ଟିକିରି,ଲକ୍ଷ୍ମୀପୁର ରୋଡ୍,କିକିରିଗୁମା ଓ ଦାମନଯୋଡି |
ଏହି ନୂତନ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ପଦକ୍ଷେପ ଯୋଗୁଁ ପୂର୍ବ,ପଶ୍ଚିମ ଓ ଦକ୍ଷିଣ ଓଡିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

