ଭାଲୁଡୁଙ୍ଗୁରି ଗ୍ରାମର କୁନ୍ତି ସାହୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ରେ 99.5 ପ୍ରତିଶତ ମାର୍କ ରଖି ପଶ୍ଚିମ ଓଡିଶାରେ ଟପ୍ପର ହେଲେ ; ଲୋକଙ୍କ ସେବା କରିବେ ଡାକ୍ତର ହୋଇ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଭାଲୁଡୁଙ୍ଗୁରୀ ଗ୍ରାମର କୁନ୍ତୀ ସାହୁ +୨ ବିଜ୍ଞାନ ରେ ୯୯.୫ ପ୍ରତିଶତ ନମ୍ବର ରଖି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ପଶ୍ଚିମ ଓଡ଼ିଶା ରେ ଟପ୍ପର ହୋଇଛନ୍ତି। ସେ ସମୁଦାୟ ୬୦୦ ନମ୍ବର ରୁ ୫୯୭ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି। କୁନ୍ତୀ ସମ୍ବଲପୁର ସ୍ଥିତ ଏମ୍ସ ହାୟର ସେକେଣ୍ଡାରୀ ସ୍କୁଲ ରେ ପଢ଼ୁଥିଲେ। ସେ ଏଥିପାଇଁ ଦୈନିକ ୧୪ରୁ ୧୫ ଘଣ୍ଟା ପରିଶ୍ରମ କରୁଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ତାଙ୍କର ଶିକ୍ଷୟିତ୍ରୀ,ଶିକ୍ଷକ, ମାଆ ବାପା ଙ୍କ ସହିତ ପରିବାର ର ଅନ୍ୟ ସଦସ୍ୟ ,ସାଙ୍ଗସାଥୀ ଙ୍କୁ ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତ ରେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। କୁନ୍ତୀ ବୀରମହାରାଜପୁର ବ୍ଲକ ଅମରପାଲି ହାଇସ୍କୁଲ ରେ ପଢୁଥିବା ବେଳେ ସେ ମାଟ୍ରିକ ରେ ମଧ୍ୟ ୯୦ ପ୍ରତିଶତ ନମ୍ବର ରଖିଥିଲେ। କୁନ୍ତୀ ଙ୍କ ବାପା ଜଗଦାନନ୍ଦ ସାହୁ ଜଣେ ଚାଷୀ ହୋଇଥିବା ବେଳେ ମାଆ ଜାହ୍ନବୀ ସାହୁ ଜଣେ ଗୃହିଣୀ ଅଟନ୍ତି। ଚାରି ଭଉଣୀ ଓ ଗୋଟିଏ ଭାଇ ମଧ୍ୟରୁ କୁନ୍ତୀ ତୃତୀୟ ଝିଅ ଅଟନ୍ତି।

