Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନଷ୍ଟେବଳଙ୍କ ଆତ୍ମହୂତି ଘଟଣାରେ ନୂଆ ମୋଡ଼; ପତ୍ନୀ ଓ ଶାଳକଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା

ବ୍ରହ୍ମପୁରର ବିଜିପୁର ସ୍ଥିତ ପୁଲିସ କ୍ୱାର୍ଟରରେ ଆରଟିଓ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ଆତ୍ମହୂତି ଉଦ୍ୟମ ଘଟଣା ନୂଆ ମୋଡ଼ ନେଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷ ତାଙ୍କ ପତ୍ନୀ ସନ୍ଧ୍ୟା ନାୟକ ଓ ଶାଳକ ଦିବସ ନାୟକ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେକର୍ଡ ହୋଇଥିବା ତାଙ୍କ ବୟାନ ଓ ଭଉଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ଉଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ପୁଲିସ ଦରପୋଡ଼ା ବୋତଲ, ଦିଆସିଲ, ମୋବାଇଲ ଫୋନ ଓ ବାଇକ ଜବତ କରିଛି।

ଗତ ଜୁନ୍ ୫ ତାରିଖ ସନ୍ଧ୍ୟାରେ ଆଶୁତୋଷ ତାଙ୍କ ପତ୍ନୀଙ୍କ କ୍ୱାର୍ଟରକୁ ଯାଇଥିବା ବେଳେ କିଛି ସମୟ ପରେ ଜଳନ୍ତା ଅବସ୍ଥାରେ ବାହାରି ଆସିଥିଲେ। ସେ ଜୀବନ ବଞ୍ଚାଇବାକୁ ନିକଟସ୍ଥ ଏକ କ୍ୱାର୍ଟରରେ ପଶିଥିବା ଜଣାପଡ଼ିଛି। ପରେ ତାଙ୍କୁ ପ୍ରଥମେ ଏମକେସିଜି ମେଡିକାଲ ଓ ପରବର୍ତ୍ତୀ ସମୟରେ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ଏହି ଘଟଣା ପରେ ପୁଲିସ ସନ୍ଧ୍ୟା ଓ ତାଙ୍କ ଭାଇଙ୍କୁ ପଚରାଉଚରା କରିଛି।

ଅନ୍ୟପଟେ, ଏହି ଦମ୍ପତିଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ ବିବାଦ ଚାଲିଥିବା ତଥ୍ୟ ସାମ୍ନାକୁ ଆସିଛି। ୨୦୨୫ ମସିହାରେ ସନ୍ଧ୍ୟା ଆଶୁତୋଷଙ୍କ ବିରୋଧରେ ପାରିବାରିକ ହିଂସା ଓ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ଗତ ମାସରେ ମଧ୍ୟ ତାଙ୍କ ମାଡ଼ ଯୋଗୁଁ ସନ୍ଧ୍ୟାଙ୍କ ତିନି ମାସର ଗର୍ଭ ନଷ୍ଟ ହୋଇଥିବା ଅଭିଯୋଗ ହୋଇଥିଲା ଏବଂ ସେହି ମାମଲାରେ ଆଶୁତୋଷଙ୍କୁ ଗିରଫ କରାଯାଇଥିଲା। ପୂର୍ବ ଅଭିଯୋଗ ଓ ବର୍ତ୍ତମାନର ଘଟଣାକୁ ନେଇ ପୁଲିସ ସମସ୍ତ ଦିଗରୁ ତଦନ୍ତ କରୁଥିବା ବେଳେ ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚର ସହାୟତା ନିଆଯିବ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ