Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ୍ ୧୦ରେ ବିଜେଡିରେ ସୁଜାତାଙ୍କ ଗ୍ରାଣ୍ଡ ଏଣ୍ଟ୍ରି? ଦଳୀୟ ବୈଠକକୁ ନେଇ ବଢ଼ିଲା ଚର୍ଚ୍ଚା

ଜୁନ୍ ୧୦ରେ ବିଜୁ ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବତନ IAS ଅଧିକାରୀ ସୁଜାତା କାର୍ତ୍ତିକେୟନ କି ଏହି ବୈଠକ ଅବସରରେ ଔପଚାରିକ ଭାବେ ବିଜେଡିରେ ଯୋଗ ଦେବେ? ଦଳର କିଛି ନେତାଙ୍କ ବୟାନ ପରେ ଏହି ପ୍ରଶ୍ନ ଏବେ ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ପ୍ରତି ବିଜେଡି ନେତା ମନ୍ମଥ ରାଉତରାୟ ସୁଜାତା କାର୍ତ୍ତିକେୟନଙ୍କୁ ଦଳ ପାଇଁ ଏକ ବଡ଼ ସମ୍ପଦ ବୋଲି ଆଜି କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ସୁଜାତାଙ୍କ ଅଭିଜ୍ଞତା ଓ ପ୍ରଶାସନିକ ଜ୍ଞାନ ରାଜ୍ୟ ସରକାରଙ୍କୁ ଅସୁବିଧାରେ ପକାଇପାରେ। ସେ କୌଣସି ପଦବୀ କିମ୍ବା ଉତ୍ତରାଧିକାରୀ ପ୍ରଶ୍ନରେ ନଥାଇ ସାଧାରଣ କର୍ମୀ ଭାବେ କାମ କରିବେ ବୋଲି ମନ୍ମଥ କହିଛନ୍ତି । ଏହା ପରେ ସୁଜାତାଙ୍କ ବିଜେଡି ପ୍ରବେଶକୁ ନେଇ ଅଟକଳ ଆହୁରି ଜୋର ଧରିଛି।

ଅନ୍ୟପଟେ ବିଜେଡି ନେତାମାନେ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ବୋଲି କହୁଛନ୍ତି। ଦଳର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ସୁଜାତାଙ୍କୁ ନେଇ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ କୌଣସି ସାର୍ବଜନିକ ମତ ଦେଇନାହାନ୍ତି। ତେବେ ନବୀନଙ୍କ ନିଷ୍ପତ୍ତି ଦଳ ପାଇଁ ବେଦବାକ୍ୟ ସଦୃଶ। ଏହି ପରିସ୍ଥିତିରେ ଜୁନ୍ ୧୦ର ବୈଠକରେ ସଂଗଠନର ପୁନର୍ଗଠନ ସହ କିଛି ନୂଆ ମୁହଁଙ୍କୁ ଦାୟିତ୍ୱ ଦିଆଯିବାର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରାଯାଉନାହିଁ।

ତେବେ ସୁଜାତା କାର୍ତ୍ତିକେୟନଙ୍କ ବିଜେଡି ଯୋଗଦାନ ସମ୍ପର୍କରେ ଏପର୍ଯ୍ୟନ୍ତ ଦଳ କିମ୍ବା ସୁଜାତାଙ୍କ ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ତଥାପି ଜୁନ୍ ୧୦ର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡିର ଭବିଷ୍ୟତ ରଣନୀତି ଏବଂ ସୁଜାତାଙ୍କ ରାଜନୈତିକ ଭୂମିକା ସମ୍ପର୍କରେ ସେହିଦିନ କିଛି ସ୍ପଷ୍ଟ ସଙ୍କେତ ମିଳିପାରେ ବୋଲି ରାଜନୈତିକ ମହଳରେ ଆଲୋଚନା ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ