୧୨-୧୪%ରୁ ଖସି ୫%: ଓଡ଼ିଶାକୁ ମିଳିବ କମ୍ ରିହାତି ବିଦ୍ୟୁତ୍, ନୂଆ ନୀତିକୁ ନେଇ ବଢ଼ିଲା ପ୍ରଶ୍ନ
ନୂତନ ତାପଜ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରୁ ରିହାତି ଦରରେ ବିଦ୍ୟୁତ୍ ନେବା ପାଇଁ ଓଡ଼ିଶା ସରକାର ୧୨ରୁ ୧୪ ପ୍ରତିଶତ କ୍ଷମତା ସଂରକ୍ଷଣ ନୀତିକୁ ପରିବର୍ତ୍ତନ କରି ମାତ୍ର ୫ ପ୍ରତିଶତ କରିବାକୁ ଯାଉଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଓ ସମାଲୋଚନା ଆରମ୍ଭ ହୋଇଛି। ସରକାର ଏହା ଦ୍ୱାରା ବଡ଼ ନିବେଶ ଆସିବ ବୋଲି ଆଶା କରୁଥିବା ବେଳେ ସମାଲୋଚକମାନେ କହୁଛନ୍ତି ଯେ ଏଥିରେ ରାଜ୍ୟର ସ୍ୱାର୍ଥ କ୍ଷୁଣ୍ଣ ହୋଇପାରେ।
ବିଶେଷଜ୍ଞଙ୍କ ମତରେ, ଓଡ଼ିଶା କୋଇଲା, ଜମି ଓ ପ୍ରାକୃତିକ ସମ୍ପଦ ଯୋଗାଇ ଦେଉଥିବା ସତ୍ତ୍ୱେ ନୂଆ ନୀତି ଅନୁସାରେ ରାଜ୍ୟ ପୂର୍ବପେକ୍ଷା କମ୍ ପରିମାଣର ଶସ୍ତା ବିଦ୍ୟୁତ୍ ପାଇବ । ପୂର୍ବରୁ ୧୨-୧୪ ପ୍ରତିଶତ ବିଦ୍ୟୁତ୍ ରିହାତି ଦରରେ ମିଳୁଥିବା ବେଳେ ଏବେ ତାହା ୫ ପ୍ରତିଶତକୁ ଖସି ଆସିବ । ଏହା ଫଳରେ ଭବିଷ୍ୟତରେ ରାଜ୍ୟକୁ ଅଧିକ ଦରରେ ବିଦ୍ୟୁତ୍ କିଣିବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି।
ସେପଟେ ପରିବେଶବିତ୍ ଓ ସାମାଜିକ କର୍ମୀମାନେ ମଧ୍ୟ ଏହି ନୀତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ନୂଆ ତାପଜ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ହେଲେ କୋଇଲା ବ୍ୟବହାର, ବାୟୁ ପ୍ରଦୂଷଣ ଓ ଜଳ ପ୍ରଦୂଷଣ ବୃଦ୍ଧି ପାଇବ । ସମାଲୋଚକମାନଙ୍କ ପ୍ରଶ୍ନ ହେଉଛି, ଯଦି ରାଜ୍ୟ ନିଜ ସମ୍ପଦ ଦେଉଛି, ତେବେ ବଦଳରେ ଓଡ଼ିଶାବାସୀଙ୍କୁ କେତେ ଲାଭ ମିଳିବ? ନିବେଶ ଓ ରୋଜଗାରର ପ୍ରତିଶ୍ରୁତି ବାସ୍ତବରେ କେତେ ସଫଳ ହେବ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

