୫୧ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ପ୍ରତିରକ୍ଷା ସମ୍ମାନ ପ୍ରଦାନ ସମାରୋହରେ ୫୧ ଜଣ ସାହସୀ ଯବାନ ଓ ଅଧିକାରୀଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ସମ୍ମାନିତଙ୍କ ମଧ୍ୟରେ ୭ ଜଣ କୀର୍ତ୍ତି ଚକ୍ର (୨ ଜଣ ମରଣୋତ୍ତର), ୧୫ ଜଣ ବୀର ଚକ୍ର (୩ ଜଣ ମରଣୋତ୍ତର) ଏବଂ ୨୯ ଜଣ ଶୌର୍ଯ୍ୟ ଚକ୍ର (ଜଣେ ମରଣୋତ୍ତର) ପାଇଛନ୍ତି।
ଏହି ସମ୍ମାନ ପାଇଥିବା ବ୍ୟକ୍ତିମାନେ ସ୍ଥଳସେନା, ନୌସେନା, ବାୟୁସେନା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ପୁଲିସ ବାହିନୀରେ କାର୍ଯ୍ୟରତ କିମ୍ବା ପୂର୍ବରୁ କାର୍ଯ୍ୟରତ ଥିଲେ। କୀର୍ତ୍ତି ଚକ୍ର ପ୍ରାପ୍ତମାନଙ୍କ ମଧ୍ୟରେ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ (ବର୍ତ୍ତମାନ ଏୟାର କମୋଡୋର) ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର ମଧ୍ୟ ଅଛନ୍ତି, ଯିଏ ଭାରତର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ଚୟନିତ ଚାରିଜଣ ମହାକାଶଚାରୀଙ୍କ ମଧ୍ୟରୁ ଜଣେ।
ଉଲ୍ଲେଖଯୋଗ୍ୟ ଯେ, ଏହି ବୀରତା ପୁରସ୍କାରଗୁଡ଼ିକର ନାମ ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥିଲା। ସମାରୋହରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

