Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରାଜିତ ନେତାଙ୍କୁ ପୁଣି ଚାର୍ଜ କରିବେ ନବୀନ, ୨୦୨୯ ଲକ୍ଷ୍ୟରେ ବିଜେଡିର ନୂଆ ରଣନୀତି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ସଂଗଠନକୁ ପୁନର୍ବାର ସୁଦୃଢ଼ କରିବା ପାଇଁ ବିଜୁ ଜନତା ଦଳ (ବିଜେଡି) ନୂଆ ରଣନୀତି ପ୍ରସ୍ତୁତ କରୁଛି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଶଙ୍ଖ ଭବନରେ ୨୦୨୪ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥୀମାନଙ୍କ ସହ ବୈଠକ କରିବେ। ଏହି ବୈଠକରେ ସେ ନେତାମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେବେ ବୋଲି ଜଣାପଡ଼ିଛି।

ଦଳୀୟ ସୂତ୍ର ଅନୁଯାୟୀ, ୨୦୨୯ ନିର୍ବାଚନ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ବିଜେଡି ଗୁରୁତ୍ୱ ଦେଉଛି। ସେଥିପାଇଁ ପରାଜିତ ନେତାମାନଙ୍କୁ ପୁଣି ସକ୍ରିୟ କରିବା ଏବଂ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବା ଉପରେ ଜୋର ଦିଆଯିବ। ବିଶେଷକରି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମୟରେ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ରହିବା ଏବଂ ଦଳୀୟ କର୍ମୀଙ୍କ ନାମ ନ କଟିବା ନେଇ ନେତାମାନଙ୍କୁ ଦାୟିତ୍ୱ ଦିଆଯିବ।

ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ବୈଠକରେ ସାଙ୍ଗଠନିକ ପ୍ରସଙ୍ଗ ସହ ରାଜ୍ୟ ସରକାରଙ୍କ ପ୍ରଶାସନିକ ପରିଚାଳନା, ଆଇନଶୃଙ୍ଖଳା ସ୍ଥିତି ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଆଲୋଚନା ହେବ। ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଦଳ ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବେ କିପରି ଅଧିକ ସକ୍ରିୟ ଭୂମିକା ନେବ ଏବଂ ସଂଗଠନକୁ ତୃଣମୂଳ ସ୍ତରରେ କିପରି ଶକ୍ତିଶାଳୀ କରାଯିବ, ସେନେଇ ମଧ୍ୟ ଚର୍ଚ୍ଚା ହେବ। ବିଜେଡିର ଏହି ବୈଠକକୁ ଦଳର ପୁନର୍ଗଠନ ଓ ଭବିଷ୍ୟତ ରାଜନୈତିକ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ