ତିନି ମାସର ଭତ୍ତା ନ ପାଇ ବିଡିଓ ଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଶତାଧିକ ବୃଦ୍ଧ, ବୃଦ୍ଧା, ବିଧବା ଓ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଭତ୍ତା ଟଙ୍କା ଜୀବନ ନିର୍ବାହର ଏକମାତ୍ର ସାହାରା ହୋଇଥିବା ବେଳେ ଗତ ତିନି ମାସରୁ ଅଧିକ ସମୟ ଧରି ଭତ୍ତା ରାଶି ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ନ ହେବା ପ୍ରତିବାଦରେ ଆଜି ବୀରମହାରାଜପୁରରେ ଏକ ବିରାଟ ବିକ୍ଷୋଭ ଓ ରାଲି ଅନୁଷ୍ଠିତ ହୋଇଥିଲା।
ରାଜ୍ୟ ବିଜୁ ଜନତା ଦଳ (ବିଜେଡି) ସମ୍ପାଦକ ନାରାୟଣ ଲୁହାଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ଶହ ଶହ ସଂଖ୍ୟକ ହିତାଧିକାରୀ ଯୋଗଦେଇ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। ଭତ୍ତା ରାଶି ତୁରନ୍ତ ପ୍ରଦାନ କରିବା ଦାବିରେ ସେମାନେ ବୀରମହାରାଜପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ବିକ୍ଷୋଭ ରାଲିଟି ବ୍ଲକ କାର୍ଯ୍ୟାଳୟ ପରିସରରୁ ବାହାରି ମେଳଣ ପଡ଼ିଆ, ଟ୍ରାଫିକ୍ ଛକ ଓ ଗୋପାଳ ହୋଟେଲ ଛକ ଦେଇ ପୁଣି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲା। ରାଲି ସମୟରେ ହିତାଧିକାରୀମାନେ ଭତ୍ତା ଟଙ୍କା ଶୀଘ୍ର ପ୍ରଦାନ କରିବାକୁ ସରକାରଙ୍କୁ ଦାବି ଜଣାଇଥିଲେ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଖରା ତାତିକୁ ଦୃଷ୍ଟିରେ ରଖି ଆନ୍ଦୋଳନରେ ଯୋଗଦେଇଥିବା ବୃଦ୍ଧ ଓ ବୃଦ୍ଧାମାନଙ୍କ ପାଇଁ ପିଇବା ପାଣି ଏବଂ ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଥିଲା।
ବକ୍ତାମାନେ କହିଥିଲେ ଯେ, ଭତ୍ତା ଟଙ୍କା ହେଉଛି ଅନେକ ଅସହାୟ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ଜୀବନ ଜୀବିକାର ପ୍ରମୁଖ ଆଧାର। ତେଣୁ ତିନି ମାସରୁ ଅଧିକ ସମୟ ଧରି ଭତ୍ତା ବନ୍ଦ ରହିବା ଦ୍ୱାରା ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଥାଶୀଘ୍ର ବକେୟା ଭତ୍ତା ପ୍ରଦାନ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

