ହିଲୁଙ୍ଗ ମଣ୍ଡି ରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷିଙ୍କ ରାସ୍ତା ଅବରୋଧ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରେ ଗତ ମଇ ମାସ ୨୨ ତାରିଖ ଠାରୁ ରବିଧାନ କିଣା ଆରମ୍ଭ ହେଲାଣି । ଉକ୍ତ ମଣ୍ଡିରୁ ୬୯୬୦ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଥିବାବେଳେ ୨୨୫ ଜଣ ଚାଷୀ ଧାନବିକ୍ରି ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି । ତେବେ ଅଦ୍ୟାବଧି ମିଲର୍ସ ମାତ୍ର ଗୋଟିଏ ଟ୍ରକରେ ଧାନ ଉଠେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏବେ ପ୍ରାୟ ୨୨୨୭ କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଛି । ଏପଟେ ଚାଷୀଙ୍କ ଟୋକନ ଅବଧି ସରିବା ଉପରେ ଆସିଲାଣି । ଅନ୍ୟପକ୍ଷରେ ଚାଷୀ ସିଧାସଳଖ ମଣ୍ଡିକୁ ନେଲେ ମଧ୍ୟ ୮ କେଜି ଲେଖାଏଁ କଟନୀ କରାଯାଉଥିବା ଅଭିଯୋଗ ହୋଇଛି । ଗତକାଲି ସକାଳେ ହଠାତ୍ ହୋଇଥିବା ଅଦିନିଆଁ ବର୍ଷାରେ କେତେକ ଚାଷୀଙ୍କ ଧାନ ମଣ୍ଡିରେ ଭିଜି ମଧ୍ୟ ଯାଇଥିଲା । ତେବେ ପ୍ରାୟ ୧୫ ଦିନ ହେଲା ମିଲର୍ସ ଗାଡ଼ି ପଠାଉ ନ ଥିବାବେଳେ ଚାଷୀ ମହଲରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଥିଲା । ମଣ୍ଡିରୁ ଧାନ ଉଠୁ ନ ଥିବାର ପ୍ରତିବାଦରେ ଗୁରୁବାର ଚାଷୀମାନେ ହିଲୁଙ୍ଗ ଛକଠାରେ ବୀରମହାରାଜପୁର–ମୋଚିବାହାଲ ଭାୟା ଅମରପାଲି ରାସ୍ତାକୁ ଅବରୋଧ କରିଥିଲେ । ଭୋର ସକାଳ ଠାରୁ ପ୍ରାୟ ୬ ଘଣ୍ଟା ଧରି ରାସ୍ତା ଅବରୋଧ ଜାରିଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ପରେ ବୀରମହାରାଜପୁର ଏଆରସିଏସ ଓ ସହକାରୀ ଯୋଗାଣ ଅଧିକାରୀ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଶେଷରେ ଧାନ ଉଠେଇବାକୁ ୨ଟି ଟ୍ରକ ପହଞ୍ଚିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

