Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିଗିରିଆରେ ଅବକାରୀ ବିଭାଗର ବଡ଼ ଚଢାଉ, ୨୮୩୦ ଲିଟର ଦେଶୀ ମଦ ଓ ୨୧,୦୩୫ ଲିଟର ପୋଚ ଜବତ

କଟକ ଜିଲ୍ଲାର ତିଗିରିଆ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବ୍ୟାପକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରାଯାଇଛି। କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣାଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ଅଞ୍ଚଳରେ ଏହି ମିଳିତ ଚଢାଉ ଅଭିଯାନ ଚାଲିଥିଲା। ଚଢାଉ ସମୟରେ ୨୮୩୦ ଲିଟର ସଦ୍ୟ ପ୍ରସ୍ତୁତ ଦେଶୀ ମଦ ଏବଂ ୨୧,୦୩୫ ଲିଟର ଗୁଡ଼ପୋଚ ଜବତ କରାଯାଇଥିଲା।

ଆଠଗଡ ଅବକାରୀ ନିରୀକ୍ଷକ ରବି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଆଠଗଡ, ବାଙ୍କି, ନରସିଂହପୁର ଅବକାରୀ ଥାନା ଏବଂ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାଡ୍‌ର ଅଧିକାରୀମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ଭିରୁଡାର ଉପରଗଡ, ଗଡ଼ପଡା, ପାଇକସାହି, ପଣସପାଟଣା ଗ୍ରାମ ସମେତ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଚଢାଉ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ମଦ ଓ ଜାରକିନ୍‌ରେ ସଂରକ୍ଷିତ ପୋଚକୁ ଜବତ କରି ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।

ତେବେ ଚଢାଉ ସମୟରେ କୌଣସି ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇପାରିନଥିଲା। ଏହି ଘଟଣାରେ ଅବକାରୀ ବିଭାଗ ୬ଟି ପୃଥକ ମାମଲା ରୁଜୁ କରିଛି। କଟକ ସଦର ଅବକାରୀ ଉପନିରୀକ୍ଷକ ରାଜେଶ ପଟେଲ, ଭ୍ରାମ୍ୟମାଣ ସ୍କ୍ୱାଡ୍‌ର ଉପନିରୀକ୍ଷକ ଅକ୍ଷୟ କୁମାର ଜେନାଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ