ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ଡିଭାଇଡରକୁ ପିଟି ଡ୍ରାଇଭର ମୃତ; ୨୦ରୁ ଅଧିକ ଆହତ
ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଭୋର ସମୟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ଆଦିରୂପା ପେଟ୍ରୋଲ ପମ୍ପ ନିକଟରେ ବସ୍ଟି ଡିଭାଇଡରକୁ ଧକ୍କା ଦେବା ଫଳରେ ଚାଳକ କେ. ଭେଙ୍କଟେଶ୍ୱର (୫୪)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ବସ୍ରେ ଥିବା ୨୦ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ବିଜୟନଗରମ ଅଞ୍ଚଳରୁ ‘ଶ୍ରୀ ଲକ୍ଷ୍ମୀ’ ନାମକ ଏକ ଘରୋଇ ବସ୍ ପ୍ରାୟ ୪୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ତୀର୍ଥସ୍ଥଳ ପରିଦର୍ଶନ କରିଥିଲା। ତୀର୍ଥଯାତ୍ରା ଶେଷ କରି ସମସ୍ତେ କୋଲକାତାରୁ ଆନ୍ଧ୍ର ପ୍ରଦେଶ ଫେରୁଥିବା ବେଳେ ସୋର ନିକଟରେ ବସ୍ର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ବସ୍ଟି ସିଧାସଳଖ ରାସ୍ତା ଡିଭାଇଡରକୁ ଧକ୍କା ଦେଇଥିଲା। ଆହତମାନଙ୍କ ମଧ୍ୟରେ ବି. ନାରାୟଣମ, ବି. ସନସମା, ମେଗାୟମ ପଦ୍ମା, କେ. ରାମବାଓ, ସୁଶୀଳା, ବି. ରାମଲାମା, ଏମ୍. ନରସିଂହମ ଓ ଅନ୍ୟମାନେ ରହିଛନ୍ତି।
ଖବର ପାଇ ସୋର ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଭୋର ସମୟରେ ଦୁର୍ଘଟଣା ଘଟିଥିବାରୁ ଚାଳକଙ୍କୁ ନିଦ ଲାଗିଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ପୁଲିସ ଓ ପରିବହନ ବିଭାଗ ସହ ମଧ୍ୟ ଯୋଗାଯୋଗ କରାଯାଉଛି।

