ପ୍ରାକ୍-ରେରା ଆପାର୍ଟମେଣ୍ଟ ପଞ୍ଜୀକରଣ ସରଳ, ଘର କ୍ରେତାଙ୍କୁ ବଡ଼ ଆଶ୍ୱସ୍ତି
ଓଡ଼ିଶା ସରକାର ପ୍ରାକ୍-ରେରା (RERA ପୂର୍ବ) ପ୍ରକଳ୍ପଗୁଡ଼ିକରେ ଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରି ଘର କ୍ରେତା, ଜମି ମାଲିକ ଓ ପ୍ରମୋଟରମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ବ୍ୟବସ୍ଥା କେବଳ ୫ ଅକ୍ଟୋବର ୨୦୧୬ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକ ପାଇଁ ଲାଗୁ ହେବ। ଏଥିପାଇଁ ପ୍ରକଳ୍ପର ଅତି କମରେ ୫୦ ପ୍ରତିଶତ ଆପାର୍ଟମେଣ୍ଟ ରେରା ଲାଗୁ ହେବା ପୂର୍ବରୁ ପଞ୍ଜୀକୃତ ବିକ୍ରୟ ଦଲିଲ ମାଧ୍ୟମରେ ହସ୍ତାନ୍ତର ହୋଇଥିବା ଆବଶ୍ୟକ। ସେହିପରି ସମ୍ପୃକ୍ତ ଆପାର୍ଟମେଣ୍ଟ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦିତ ବିଲ୍ଡିଂ ପ୍ଲାନର ଅଂଶ ହୋଇଥିବା ଦରକାର।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ପୁରୁଣା ଆପାର୍ଟମେଣ୍ଟ ପ୍ରକଳ୍ପରେ ଦୀର୍ଘଦିନ ଧରି ରହିଥିବା ପଞ୍ଜୀକରଣ ସମସ୍ୟାର ସମାଧାନ ପାଇଁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ବ୍ୟକ୍ତିଗତ ଆଲଟିମାନଙ୍କ ପାଇଁ କିଛି ରିହାତି ବ୍ୟବସ୍ଥା ଥିଲେ ମଧ୍ୟ ପ୍ରମୋଟର ଓ ଜମି ମାଲିକଙ୍କ ପାଖରେ ରହିଥିବା ଅବିକ୍ରିତ ଆପାର୍ଟମେଣ୍ଟଗୁଡ଼ିକ ସେଥିରୁ ବଞ୍ଚିତ ରହିଥିଲେ। ବର୍ତ୍ତମାନ ‘ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ, ୨୦୨୩’ ଅନୁଯାୟୀ ସ୍ୱତନ୍ତ୍ର ଛାଡ଼ ବ୍ୟବସ୍ଥା ଜରିଆରେ ଏଭଳି ଆପାର୍ଟମେଣ୍ଟର ପଞ୍ଜୀକରଣ ସମ୍ଭବ ହେବ ଏବଂ ଦୀର୍ଘଦିନର ଅନିଷ୍ପନ୍ନ ମାମଲାର ସମାଧାନ ହୋଇପାରିବ।
ସ୍ୱଚ୍ଛତା ଓ କ୍ରେତାଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରମୋଟର କିମ୍ବା ଜମି ମାଲିକଙ୍କୁ ଅନୁମୋଦିତ ବିଲ୍ଡିଂ ପ୍ଲାନ ପ୍ରକଳ୍ପ ପରିସରରେ ପ୍ରଦର୍ଶନ କରିବାକୁ ହେବ। ଅବିକ୍ରିତ ଆପାର୍ଟମେଣ୍ଟର ପ୍ରଥମ ବିକ୍ରୟ ପୂର୍ବରୁ ଆଲଟି ଆସୋସିଏସନରୁ ଅନାପତ୍ତି ପ୍ରମାଣପତ୍ର ନେବା ଆବଶ୍ୟକ ହେବ। ସେହିପରି ପ୍ରତ୍ୟେକ ବିକ୍ରୟ ଦଲିଲରେ ସାଧାରଣ ସ୍ଥାନ ଓ ସୁବିଧା ଉପରେ ଆଲଟିଙ୍କ ଆନୁପାତିକ ଅଧିକାର ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ଛାଡ଼ କେବଳ ପ୍ରକୃତ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ କୌଣସି ବେଆଇନ ନିର୍ମାଣର ବୈଧତା ପ୍ରଦାନ ବୋଲି ଗ୍ରହଣ କରାଯିବ ନାହିଁ।

