Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୁମୁରାରେ ନାହିଁ ଯୁକ୍ତ ୩ କଲେଜ, ପାଠ ପଢ଼ାରେ ଡୋରୀ ଅସହାୟ ମେଧାବୀ ପିଲାଙ୍କ ଭବିଷ୍ୟତ ଅନ୍ଧାର

ସମ୍ବଲପୁର: ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ଦେଖାଣିଆ ଯୋଜନା କରୁଥିଲେ ମଧ୍ୟ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମାଓ ପ୍ରବଣ ଯୁଯୁମୁରା ଅଞ୍ଚଳରେ ଗୋଟିଏ ହେଲେ ଯୁକ୍ତ ୩ (+୩) କଲେଜ ନଥିବାରୁ ଏଠାକାର ଶତାଧିକ ମେଧାବୀ ପିଲା ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଅଞ୍ଚଳରେ ଉଚ୍ଚ ଶିକ୍ଷାର ବିକାଶ ପ୍ରତି ସରକାର ସମ୍ପୂର୍ଣ୍ଣ ଅଣଦେଖା କରୁଥିବାରୁ ସ୍ଥାନୀୟ ଜନସାଧାରଣ ଓ ଆଞ୍ଚଳିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ କଲେଜ ପରିସରରେ ଆୟୋଜିତ ବୈଠକରେ ବୁଦ୍ଧିଜୀବୀ ଓ ଶିକ୍ଷା ପ୍ରେମୀ ମାନେ ଏଭଳି ଅଭିଯୋଗ ଆଣିଛନ୍ତି । ବୈଠକରେ ସୁରେଶ ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ଜୟନ୍ତ କୁମାର ପ୍ରଧାନ, ସାମାଜିକ କର୍ମୀ ଅରୁଣ ଦେହୁରୀ, ସାମାଜିକ କର୍ମୀ ଦୀପକ ବିଶ୍ୱାଳ, କିରଣ ବେହେରା, ବେଦ ପ୍ରକାଶ ବିଶ୍ୱାଳ, ଅଶ୍ୱିନୀ ଦେହୁରୀ, ଦିବ୍ୟ କିଶୋର ପ୍ରଧାନ, ରମେଶ ବିଶ୍ୱାଳ, ସୁଶ୍ରୀତ ପ୍ରଧାନ
ପ୍ରମୁଖ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ ଯୁଯୁମୁରା ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ (+୨) ପାସ୍ କରି ବାହାରୁଛନ୍ତି। ଆର୍ଥିକ ସକ୍ଷମ ଥିବା ପରିବାର ପିଲାମାନେ ଉଚ୍ଚ ଶିକ୍ଷା ପାଇଁ ସହର କିମ୍ବା ଅନ୍ୟ ସ୍ଥାନକୁ ଚାଲି ଯାଉଛନ୍ତି। ଯେଉଁ ପରିବାର ସମ୍ବଳ ଅଭାବ ରହିଛି ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଖପାଖରେ କୌଣସି ଯୁକ୍ତ ୩ କଲେଜ ନଥିବାରୁ ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡ଼କୁ ଗତି କରୁଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନ ବହୁ ଦୂରରେ ଥିବାରୁ ଗରିବ ଶ୍ରେଣୀର ମେଧାବୀ ପିଲାମାନେ ବାଧ୍ୟ ହୋଇ ପାଠ ଅଧାରୁ ଛାଡୁଛନ୍ତି। ବିଶେଷ କରି ସୁରକ୍ଷା ଦୃଷ୍ଟିରୁ ଏବଂ କଲେଜ ବହୁ ଦୂରରେ ଥିବା କାରଣରୁ ଅଭିଭାବକମାନେ ସେମାନଙ୍କ ଝିଅମାନଙ୍କୁ ବାହାରକୁ ପଠାଇବାକୁ ସାହସ କରୁନାହାନ୍ତି। ଫଳରେ ଅନେକ ପ୍ରତିଭାବାନ ଛାତ୍ରୀଙ୍କ ପାଠପଢ଼ାରେ ଡୋରୀ ବନ୍ଧା ହେଉଛି। ଯୁଯୁମୁରାରେ ଯଦି ଏକ ଯୁକ୍ତ ୩ କଲେଜ ସ୍ଥାପନ କରାଯାଏ, ତେବେ କେବଳ ସ୍ଥାନୀୟ ବ୍ଲକ ନୁହେଁ, ବରଂ ଏହାର ୧୧ଟି ପଞ୍ଚାୟତ ସମେତ ପଡ଼ୋଶୀ ବ୍ଲକର ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହୋଇପାରନ୍ତେ। ତେଣୁ ରାଜ୍ୟ ସରକାର ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଯୁଯୁମୁରାରେ ଯୁକ୍ତ ୩ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଅନ୍ତୁ। ଯେପର୍ଯ୍ୟନ୍ତ ଏହି ନ୍ୟାଯ୍ୟ ଦାବି ପୂରଣ ହୋଇନାହିଁ, ସେପର୍ଯ୍ୟନ୍ତ ଆଞ୍ଚଳିକ ସଂଗଠନ ଓ ସ୍ଥାନୀୟ ଜନସାଧାରଣ ନିଜର ଆନ୍ଦୋଳନ ଓ ଲଢ଼େଇ ଜାରି ରଖିବେ । ସ୍ଥାନୀୟ ବୁଦ୍ଧିଜୀବୀ ମଞ୍ଚଏହି ସାମାଜିକ ତଥା ଶିକ୍ଷାଗତ ସମସ୍ୟାକୁ ନେଇ ଆଜି ସ୍ଥାନୀୟ ବୁଦ୍ଧିଜୀବୀ ଓ ଆଞ୍ଚଳିକ ସଂଗଠନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ସଭ୍ୟମାନେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ