ଜମନକିରା ଡିଗ୍ରୀ ମହାବିଦ୍ୟାଳୟରେ “ଶକ୍ତିଶ୍ରୀ” ସଚେତନତା ଓ ମିନି ମାରାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜମନକିରା : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ “ଶକ୍ତିଶ୍ରୀ” କାର୍ଯ୍ୟକ୍ରମ ଅଧୀନରେ ଜମନକିରା ଡିଗ୍ରୀ ମହାବିଦ୍ୟାଳୟରେ ନଭେମ୍ବର ମାସ ୨ ତାରିଖ ଦିନ “ନିଶାଦ୍ରବ୍ୟ ଅପବ୍ୟବହାର ସଚେତନତା” ଶୀର୍ଷକ ଏକ ଆଲୋଚନାଚକ୍ର ଓ ଏକ “ମିନି ମାରାଥନ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରର ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ଜମନକିରା ବ୍ଲକ୍ ଶିକ୍ଷା ଅଧିକାରୀ ଦେବକୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରି ସମସ୍ତଙ୍କୁ ସ୍ୱାଗତ କରିବା ସହ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଡକ୍ଟର ମନମୋହନ ଜୟବିକାଶ ବାଘ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। “ଶକ୍ତିଶ୍ରୀ”ର ସଂଯୋଜିକା ତଥା ଶିକ୍ଷା ବିଭାଗର ଅଧ୍ୟାପିକା ଅରୁଣା ମିଶ୍ର ନିଶାର ଅପବ୍ୟବହାର ଓ ଯୁବ ସମାଜ ଏଥିରୁ ମୁକ୍ତି ପାଇବା ପାଇଁ ଦୃଢ଼ ସଂକଳ୍ପ ତଥା ନିରନ୍ତର ପ୍ରୟାସ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ସୁଶ୍ରୀ ନାୟକ ଓଁକାର ନାଦରୁ ନିଜର ଅଭିଭାଷଣ ଆରମ୍ଭ କରି ନାରୀ ଶକ୍ତିସ୍ୱରୂପା ଓ ସେମାନଙ୍କ ଉପରେ ସମଗ୍ର ପରିବାରର ଦାୟିତ୍ୱ ରହିଛି ବୋଲି ଉଦ୍ବୋଧନ ଦେଇଥିଲେ। ନାରୀ ଚାହିଁଲେ ସମଗ୍ର ପରିବାର ତଥା ସମାଜକୁ ନିଶାର କବଳରୁ ରକ୍ଷା କରିପାରିବ ବୋଲି ସେ ଦିଗ୍ଦର୍ଶନ ଦେଇଥିଲେ। ଶେଷରେ ଇଂରାଜୀ ବିଭାଗର ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ନିଜର ବକ୍ତବ୍ୟ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ଅଧ୍ୟାପିକା ଡ.ତୃପ୍ତି ମିଶ୍ର, ମୁଶାରଦ ଅନସାରୀ, କୁଣ୍ଡଳୀ ମହାନନ୍ଦ, ସୁପର୍ଣ୍ଣା ପଟ୍ଟନାୟକ, ଚେତନା ଗର୍ତିଆ, ସୁଲକ୍ଷଣା ପଟେଲ, ବର୍ଣାଳୀ ଦେହୁରୀଙ୍କ ସହ ଅଧ୍ୟାପକ ସିଦ୍ଧାନ୍ତ ସାହୁ, ସୁରଥ ସାହୁ ଓ ମୀନକେତନ ରାୟ ଉପସ୍ଥିତ ରହି ବହୁ ସଂଖ୍ୟାରେ ସମବେତ ଛାତ୍ର ଓ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ କଲେଜ ପ୍ରାଙ୍ଗଣରୁ ଏକ ସଚେତନତାଧର୍ମୀ “ମିନି ମାରାଥନ୍” ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ “ନିଶାରୁ ଦଶା” ଶୀର୍ଷକ ଏକ କ୍ଷୁଦ୍ର ପଥପ୍ରାନ୍ତ ନାଟକ ଛାତ୍ରଛାତ୍ରୀଙ୍କ ଦ୍ୱାରା ମଞ୍ଚସ୍ଥ ହୋଇ “ନିଶାକୁ ନାଁ, ଜୀବନକୁ ହଁ”ର ବାର୍ତ୍ତା ପ୍ରଚାର କରାଯାଇଥିଲା। ଶେଷରେ ଓଡଆ ବିଭାଗର ଅଧ୍ୟାପିକା ଡ. ତୃପ୍ତି ଛାତ୍ରଛାତ୍ରୀ ଓ ସମସ୍ତ ଜନତାଙ୍କୁ ନିଶା ନିବାରଣର ବାର୍ତ୍ତା ଦେବା ସହ ଶକ୍ତିଶ୍ରୀ ସଂଯୋଜିକା ଅରୁଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।

