ଟିକିଲିପଡ଼ା କନ୍ୟାଶ୍ରମରେ ମାଙ୍କଡ଼ ଆକ୍ରମଣ ଘଟଣା: ପ୍ରଶାସନ ଓ ବନ ବିଭାଗ ତତ୍ପର, ପ୍ରଥମେ ବସିବ ଜନ୍ତା, ପରେ ଟ୍ରାଙ୍କୁଇଲାଇଜ୍ କରିବାକୁ ଯୋଜନା
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା କନ୍ୟାଶ୍ରମ ଏବଂ ସେବାଶ୍ରମ ବିଦ୍ୟାଳୟ ପରିସରରେ ଗତ ୨ ତାରିଖ ଦିନ ଘଟିଥିବା ମାଙ୍କଡ଼ଙ୍କ ଭୟଙ୍କର ଆକ୍ରମଣ ଘଟଣା ପରେ ଏବେ ପ୍ରଶାସନ ଓ ବନ ବିଭାଗ ତତ୍ପରତା ପ୍ରକାଶ କରିଛି। ସେଦିନ ମାଙ୍କଡ଼ଙ୍କ ଅତର୍କିତ ଆକ୍ରମଣରେ କନ୍ୟାଶ୍ରମର ମାଟ୍ରନ ଓ କେତେକ ଛାତ୍ରୀ ଗୁରୁତର ଭାବେ ଆହତ ହୋଇ ଲହୁଲୁହାଣ ହୋଇଥିଲେ ଏବଂ ଭୟଭୀତ ଅବସ୍ଥାରେ ଅନ୍ତେବାସୀମାନେ ନିଜ ନିଜ ଘରକୁ ଚାଲିଯାଇଥିଲେ। ଦୀର୍ଘ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା ଏହି ଉପଦ୍ରବ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଆଜି ପ୍ରଶାସନ, ବନ ବିଭାଗ, ପ୍ରାଣୀ ଚିକିସ୍ୟକ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ମଧ୍ୟରେ ଏକ ଜରୁରୀ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଦ୍ରବୀ ମାଙ୍କଡ଼ଙ୍କୁ ନିରାପଦରେ କାବୁ କରିବା ପାଇଁ ଏକ ଦୁଇ ସ୍ତରୀୟ ଯୋଜନା ପ୍ରସ୍ତୁତ କରାଯାଇଛି। ନିଷ୍ପତ୍ତି ମୁତାବକ, ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଲୁହା ଜନ୍ତା ଖଞ୍ଜାଯାଇ ସେମାନଙ୍କୁ ଧରିବାକୁ ଚେଷ୍ଟା କରାଯିବ। ଯଦି ଜନ୍ତାରେ ସେମାନଙ୍କୁ କାବୁ କରିବା ସମ୍ଭବ ନ ହୁଏ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାଣୀ ଚିକିତ୍ସକ ତଥା ବିଶେଷଜ୍ଞ ଦଳଙ୍କ ସହାୟତାରେ ଟ୍ରାଙ୍କୁଇଲାଇଜର ଇଞ୍ଜେକ୍ସନ ପ୍ରୟୋଗ କରି ଅଚେତ କରାଯିବ ଏବଂ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଦୂର ଜଙ୍ଗଲରେ ଛାଡ଼ି ଦିଆଯିବ।
ବାମରା ଡିଏଫ୍ଓ ବିକ୍ରମଦେବ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠିତ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଏହି ଅଭିଯାନ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ପ୍ରଶାସନର ଏହି ତ୍ୱରିତ ପଦକ୍ଷେପ ଫଳରେ ବିଦ୍ୟାଳୟ ତଥା କନ୍ୟାଶ୍ରମରେ ଖୁବ୍ଶୀଘ୍ର ପୁଣି ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ ପରିବେଶ ଫେରିଆସିବ ବୋଲି ଅଭିଭାବକ ଏବଂ ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି।

