ପଡିଲା ଶୀତଳଷଷ୍ଟି ଯାତ୍ରାର ମୂଳଦୁଆ:ବାଲୁଙ୍କେଶ୍ୱର ବାବାଙ୍କ ପତ୍ରପେଣ୍ଡି ସମ୍ପନ୍ନ,କନ୍ୟା ସନ୍ଧାନରେ ବାହାରିଲେ ସପ୍ତର୍ଷି
ସମ୍ବଲପୁର:ପଡିଲା ଶୀତଳଷଷ୍ଟି ଯାତ୍ରାର ମୂଳଦୁଆ। ଏବେ ଉତ୍ସବମୁଖର ସମ୍ବଲପୁର ସହର। ବଂବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା-୨୦୨୬ ଅଭିମୁଖେ ନନ୍ଦପଡ଼ାରେ ଏକ ଭକ୍ତିମୟ ମାହୋଲ ଆଜି ଦେଖିବାକୁ ମିଳିଛି।ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନନ୍ଦପଡ଼ା ମନ୍ଦିରରୁ ବାବା ବାଲୁଙ୍କେଶ୍ୱରଙ୍କ ଭବ୍ୟ ପତ୍ରପେଣ୍ଡି ଶୋଭାଯାତ୍ରା ଅତ୍ୟନ୍ତ ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି।ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଓ ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ରଙ୍କ ପୌରୋହିତ୍ୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ, ସପ୍ତର୍ଷିମାନେ ବରପିତା ରାମ ଚରଣ ମିଶ୍ରଙ୍କ ସହ ବାବାଙ୍କ ପାଇଁ କନ୍ୟା ସନ୍ଧାନରେ ବାହାରିଛନ୍ତି। ଚଳିତ ବର୍ଷ ଶାସନ ନିବାସୀ ପ୍ରଦୀପ କୁମାର ମିଶ୍ର ଓ ମାତା ବୀଣାପାଣି ମିଶ୍ର ବାବାଙ୍କ କନ୍ୟାପିତା-ମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ପାରମ୍ପରିକ ଓ ଆଧୁନିକତାର ଅପୂର୍ବ ସମନ୍ୱୟ ମଧ୍ୟରେ ଏହି ଭବ୍ୟ ଶୋଭାଯାତ୍ରାରେ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟର ଝଲକ ଦେଖିବାକୁ ମିଳିଛି। ଶୋଭାଯାତ୍ରାରେ ସାମିଲ ହୋଇ ଶଙ୍ଖ, ଘଣ୍ଟ, ଦୁଲଦୁଲି ଓ ଧମାଲ ବାଦ୍ୟରେ ଗଗନପବନ ପ୍ରକମ୍ପିତ ହୋଇଛି । ଆକର୍ଷଣୀୟ ହୋଇଛି ମୟୂର ଝାର ନୃତ୍ୟ।
ବରପିତା ଓ ସପ୍ତର୍ଷିମାନଙ୍କ ସୁଗମ ଯାତ୍ରା ପାଇଁ ଏକ ସୁସଜ୍ଜିତ ଭବ୍ୟ ରଥ ବହିଥିଲା। ସହରକୁ ଆଲୋକିତ କରୁଥିବା ଆଧୁନିକ ଡିଜିଟାଲ ଏବଂ ପାରମ୍ପରିକ ଆଲୋକମାଳାରେ ଝଲସୁଛି ପଡ଼ା।ଏହି ଭବ୍ୟ ଶୋଭାଯାତ୍ରା ନନ୍ଦପଡ଼ାରୁ ବାହାରି ମହାନ୍ତି ପଡ଼ା, ରାଣୀଖିଣ୍ଡା ସମଲେଶ୍ୱରୀ ମନ୍ଦିର ଦେଇ ଶାସନ ସ୍ଥିତ କନ୍ୟାପିତାଙ୍କ ବାସଭବନରେ ପହଞ୍ଚିଛି। ଶୋଭାଯାତ୍ରାରେ ସପ୍ତର୍ଷି ମଣ୍ଡଳୀର ବିଜୟ ମିଶ୍ର, କାମପାଳ ହୋତା, ଗୋଲକ ବିହାରୀ ମିଶ୍ର, ଅଶୋକ କୁମାର ମିଶ୍ର, ଚକ୍ରଧର ମିଶ୍ର, ପୂର୍ଣାନନ୍ଦ ମିଶ୍ର ଏବଂ ଅମରେନ୍ଦ୍ର ପୂଜାରୀ ରହିଛନ୍ତି।
ଏହି ସମଗ୍ର ଆୟୋଜନକୁ ସଫଳ କରିବା ପାଇଁ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ଫଣୀ ଭୂଷଣ ମିଶ୍ର, ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ସମ୍ପାଦକ ପ୍ରଭୁଦତ୍ତ ପଣ୍ଡା, ଏବଂ ସଦସ୍ୟ ସମୀର ରଞ୍ଜନ ବାବୁ, ଆଶିଷ ବାବୁ, ସୁଶ୍ରୀତ ମିଶ୍ର, ବାଲଗୋପାଳ ନନ୍ଦ, ରାଜୀବ ମାଝୀ, ଭୁବନ ମୋହନ ମିଶ୍ର, ସୁନୀଲ ତ୍ରିପାଠୀଙ୍କ ସମେତ ଶତାଧିକ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ବାବାଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ବାବାଙ୍କ ଏହି ଦିବ୍ୟ ବିବାହୋତ୍ସବକୁ ନେଇ ସାରା ସମ୍ବଲପୁର ଏବେ ଉତ୍ସବମୁଖର ହୋଇ ଉଠିଛି।

