ଜମି ବିବାଦରୁ ବାପା ଓ ସାବତ ମା’ଙ୍କୁ ହତ୍ୟା, ପୁଅ ଗିରଫ
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ତେରତାଙ୍ଗ ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ହୃଦୟବିଦାରକ ହତ୍ୟାକାଣ୍ଡ ଘଟିଛି। ପୁଅ ଦିଲୀପ ପରିଡ଼ାଙ୍କ କଟୁରି ଆକ୍ରମଣରେ ବାପା ସତ୍ୟାନନ୍ଦ ପରିଡ଼ା (୬୮) ଓ ସାବତ ମା’ ଚାରୁଲତା ପରିଡ଼ା (୫୮)ଙ୍କ ମୃତ୍ୟୁ ହୋଇଛି। ଖବର ପାଇ ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦିଲୀପଙ୍କୁ କାବୁ କରି ଥାନାକୁ ନେଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ କଟୁରିକୁ ଜବତ କରାଯାଇଥିବା ବେଳେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ସତ୍ୟାନନ୍ଦଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଚାରୁଲତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଔରସରୁ ଜଣେ ପୁଅ ଓ ଜଣେ ଝିଅ ଥିବା ବେଳେ ଚାରୁଲତାଙ୍କର କୌଣସି ସନ୍ତାନ ନଥିଲା। ଦୀର୍ଘଦିନ ଧରି ଜମିଜମାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ରବିବାର ଦିଲୀପ ଘରକୁ ଆସିବା ପରେ ପୁଣିଥରେ ବିବାଦ ଉଗ୍ର ରୂପ ନେଇଥିଲା। ଉତ୍ତେଜିତ ହୋଇ ଦିଲୀପ କଟୁରିରେ ବାପା ସତ୍ୟାନନ୍ଦଙ୍କ ବେକକୁ ଚୋଟ ମାରିଥିଲେ। ସାବତ ମା’ ଚାରୁଲତା ବାଧା ଦେବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦିଲୀପ ପୂର୍ବରୁ ହତ୍ୟା ପାଇଁ ଯୋଜନା କରିଥିଲେ। ସେ ଏକ କଟୁରିକୁ ଧାର କରି ଆଣିଥିବା ସହ ନିଜ ପତ୍ନୀ ଓ ୬ ବର୍ଷର ପୁଅକୁ ଶ୍ୱଶୁରଘରେ ଛାଡ଼ି ଆସିଥିଲେ। ହତ୍ୟା ପରେ ସେ ଘର ବାରଣ୍ଡାରେ ବସି ରହିଥିବା ବେଳେ ଗ୍ରାମବାସୀ ୧୧୨କୁ ସୂଚନା ଦେଇଥିଲେ। ବାଲିକୁଦା ଥାନା ଅଧିକାରୀ କାବୁଲି ବାରିକଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ ଚଳାଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ ବର୍ମା ମଧ୍ୟ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

