Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

HRMS Scam: ଜାଲ୍ ବିଲ୍‌ ଜରିଆରେ ୩.୦୩ କୋଟି ଟଙ୍କା ହେରଫେର ଅଭିଯୋଗ, ଡେରାବିଶ ବ୍ଲକ୍‌ର ବରିଷ୍ଠ ରାଜସ୍ୱ ସହାୟକ ଗିରଫ

କେନ୍ଦ୍ରାପଡ଼ା: ସରକାରୀ ଅର୍ଥ ହେରଫେର ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ର ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ବିରୋଧରେ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କାର ଆର୍ଥିକ ହେରଫେର ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ଫେରାର ଥିବା ଶଶିକାନ୍ତଙ୍କୁ ଡିଜିଟାଲ୍ ଟ୍ରାକିଂ ମାଧ୍ୟମରେ ଠାବ କରି ଗିରଫ କରାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି।

ଭିଜିଲାନ୍ସ ତଦନ୍ତ ଅନୁସାରେ, ରାଜକନିକା ବ୍ଲକ୍‌ରେ ୨୦୨୩ ଅଗଷ୍ଟ ୩୦ରୁ ୨୦୨୪ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବା ସମୟରେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ଏବଂ ଡେରାବିଶ ବ୍ଲକ୍‌ରେ ୨୦୨୫ ଜାନୁଆରୀ ୭ରୁ ଅକ୍ଟୋବର ୧୩ ମଧ୍ୟରେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ରହିଛି। HRMS ପୋର୍ଟାଲରେ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାଁରେ ଦରମା, ବକେୟା ଦରମା, ଗ୍ରାଚ୍ୟୁଇଟି, ଛୁଟି ବାବଦ ଟଙ୍କା ଓ ପେନ୍‌ସନ୍ ପାଇଁ ଜାଲ୍ ଦାବି ପ୍ରସ୍ତୁତ କରାଯାଉଥିଲା। ଏହି ଟଙ୍କା ପ୍ରକୃତ ହିତାଧିକାରୀଙ୍କ ବଦଳରେ ଅଭିଯୁକ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଖାତାକୁ NEFT ଜରିଆରେ ପଠାଯାଉଥିବା ତଦନ୍ତରୁ ଜଣାପଡ଼ିଛି।

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଟଙ୍କା ହେରଫେର ପାଇଁ ଏସ୍‌ବିଆଇ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କର ଖାତା ବ୍ୟବହାର ହୋଇଥିବା ଭିଜିଲାନ୍ସ କହିଛି। ଗିରଫ ଶଶିକାନ୍ତ ରଣାଙ୍କୁ କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories