Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ସରପଞ୍ଚ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିଲେ ନବୀନ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ସହ ଘଟିଥିବା ଘଟଣାକୁ ନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ମହିଳା ସୁରକ୍ଷା ଓ ଗଣତାନ୍ତ୍ରିକ ଅଧିକାରକୁ ନେଇ ସେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

ନବୀନ କହିଛନ୍ତି, ନିଜ ପଞ୍ଚାୟତର ହକ୍‌ ଓ ଦାବି ଉଠାଇଥିବା ଜଣେ ମହିଳା ସରପଞ୍ଚଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରେ ଯେପରି ଦୁର୍ବ୍ୟବହାର ଓ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ିଛି, ତାହା ଏକ ଗଣତାନ୍ତ୍ରିକ ରାଜ୍ୟ ପାଇଁ ଲଜ୍ଜାଜନକ। ମହିଳାଙ୍କ ସ୍ୱର ଚାପି ଦେବା ପାଇଁ ଶାସକ ଦଳ ହୀନ ପ୍ରୟାସ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ବିଜେପିର ‘ନାରୀ ଶକ୍ତି ବନ୍ଦନ’ ସ୍ଲୋଗାନକୁ କଟାକ୍ଷ କରି ନବୀନ ପ୍ରଶ୍ନ କରିଛନ୍ତି, “ଏହା କ’ଣ ନାରୀଙ୍କ ପ୍ରତି ସମ୍ମାନ?” ସେ ଆହୁରି କହିଛନ୍ତି ଯେ, ଯଦି ଜଣେ ନିର୍ବାଚିତ ମହିଳା ସରପଞ୍ଚଙ୍କ ଅବସ୍ଥା ଏପରି, ତେବେ ସାଧାରଣ ମହିଳାଙ୍କ ସୁରକ୍ଷା କେତେ ସଙ୍କଟରେ ଅଛି ତାହା ସହଜରେ ଅନୁମାନ କରାଯାଇପାରେ। ବିଜେପି ନେତାମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ ବୋଲି ପ୍ରଶ୍ନ କରି ସେ କହିଛନ୍ତି, “ବିଜେପି ଶାସନରେ ଆଇନ କ’ଣ ସମସ୍ତଙ୍କ ପାଇଁ ଅଲଗା?” ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ହସ୍ତକ୍ଷେପ କରି ନ୍ୟାୟ ସୁନିଶ୍ଚିତ କରିବାକୁ ନବୀନ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ