ଅତ୍ୟାବଶ୍ୟକ ସେବାକୁ ଇନ୍ଧନ ଯୋଗାଣ ବାଧ୍ୟତାମୂଳକ, ନିର୍ଦ୍ଦେଶ ଜାରି କଲେ ଖୋର୍ଦ୍ଧା ଜିଲାପାଳ
ଭୁବନେଶ୍ୱର: ବିପର୍ଯ୍ୟୟ ଓ ବିଦ୍ୟୁତ ବିଭ୍ରାଟ ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ସେବା ନିରବଚ୍ଛିନ୍ନ ରଖିବା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଜିଲାପାଳ ତଥା ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅମୃତ ଋତୁରାଜ ଜିଲାର ସମସ୍ତ ତୈଳ ବିପଣନ କମ୍ପାନୀ, ଖୁଚୁରା ବିକ୍ରେତା ଓ ଡିଲରମାନଙ୍କୁ ଅତ୍ୟାବଶ୍ୟକ ସେବା ସଂସ୍ଥାଗୁଡ଼ିକୁ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବାକୁ କହିଛନ୍ତି।
ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୩୪(ଇ) ଅନୁଯାୟୀ ଜାରି ଏହି ନିର୍ଦ୍ଦେଶରେ ହସ୍ପିଟାଲ, ପଞ୍ଜୀକୃତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଏବଂ ଶିକ୍ଷାନୁଷ୍ଠାନର ଛାତ୍ରାବାସ ଭଳି ସଂସ୍ଥାକୁ ପ୍ରାଥମିକତା ଭିତ୍ତିରେ ପେଟ୍ରୋଲ ଓ ଡିଜେଲ ଯୋଗାଇବାକୁ କୁହାଯାଇଛି।
କୌଣସି ତୈଳ ଯୋଗାଣକାରୀ ସଂସ୍ଥା ଯଦି ଏହି ସେବା ପ୍ରଦାନରେ ଅବହେଳା କିମ୍ବା ପ୍ରତ୍ୟାଖ୍ୟାନ କରେ, ତେବେ ସେମାନଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ନିର୍ଦ୍ଦେଶ ଉଲ୍ଲଂଘନ କଲେ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।
ଜିଲା ପ୍ରଶାସନ କହିଛି, ଇନ୍ଧନ ଅଭାବ ଯୋଗୁଁ ଜରୁରୀ ସେବା ବାଧାପ୍ରାପ୍ତ ହେଲେ ରୋଗୀ ସେବା ଓ ଜନଜୀବନ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ତେଣୁ ଆଇନର କଠୋର ପାଳନ ପାଇଁ ସମସ୍ତ ସମ୍ପୃକ୍ତ ସଂସ୍ଥାକୁ ସତର୍କ କରାଯାଇଛି।

