ଶୀତଳ ଷଷ୍ଠି ଯାତ୍ରା ପାଇଁ ସମ୍ବଲପୁର ପୋଲିସର ଜରୁରୀ ଗାଇଡଲାଇନ ଓ ଟ୍ରାଫିକ ଆଡଭାଇଜରୀ
ସମ୍ବଲପୁର:ପ୍ରସିଦ୍ଧ ଗଣପର୍ବ ଶୀତଳଷଷ୍ଠୀ ଯାତ୍ରା-୨୦୨୬ କୁ ଶାନ୍ତିଶୃଙ୍ଖଳା ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ସହରବାସୀ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ସୁରକ୍ଷା ତଥା ଯାତାୟାତକୁ ସହଜ କରିବା ପାଇଁ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଜରୁରୀ ସୁରକ୍ଷା ଓ ଟ୍ରାଫିକ ନିର୍ଦ୍ଦେଶାବଳୀ (ଏଡ଼ଭାଇଜରୀ) ଜାରି କରାଯାଇଛି।
ରାସ୍ତାରେ ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ନିମ୍ନଲିଖିତ ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି l
କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବା ସହ ସମସ୍ତ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ମାନିବାକୁ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ କହିଛନ୍ତି l
ଟ୍ରାଫିକ ସମସ୍ୟା ଓ ଜନଗହଳିକୁ ଏଡ଼ାଇବା ପାଇଁ ନିଷେଧାଦେଶ ଥିବା ରାସ୍ତା କିମ୍ବା ଶୋଭାଯାତ୍ରା ବାହାରୁଥିବା ମାର୍ଗକୁ ନିଜ ଗାଡ଼ି ନ ନେବା ପାଇଁ କୁହାଯାଇଛି l କେବଳ ଚିହ୍ନଟ ହୋଇଥିବା ପାର୍କିଂ ସ୍ଥାନରେ ହିଁ ଗାଡ଼ି ରଖନ୍ତୁ, ନଚେତ ବେଆଇନ ପାର୍କିଂ ପାଇଁ ଗାଡ଼ି ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l ଜେଲ୍ ଛକ ନିକଟ ରୁ ପାର୍କିଂ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି l ଶୋଭାଯାତ୍ରା କିମ୍ବା ବାହାରକୁ ଯିବା ସମୟରେ ନିଜ ଘରର କବାଟ, ଝରକା ଭଲଭାବେ ଲକ୍ କରିବା ପାଇଁ ମଧ୍ୟ୍ୟ କୁହାଯାଇଛି l ପ୍ରବଳ ଭିଡ଼ ଓ ଉଚ୍ଚ ଶବ୍ଦ ହେବାର ସମ୍ଭାବନା ଥିବାରୁ ଛୋଟ ପିଲା, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଗହଳି ସ୍ଥାନକୁ ଆଣିବାରୁ ବିରତ ରହିବାକୁ କୁହାଯାଇଛି l
ପୂଜା ପାଣ୍ଡାଲ ଓ ଶୋଭାଯାତ୍ରା ହେଉ ଥିବା ଭିଡ ଜାଗାରେ ସମୟରେ ନିଜ ମୋବାଇଲ୍, ପର୍ସ, ସୁନା ଗହଣା ଏବଂ ଘଣ୍ଟା ପ୍ରତି ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି l
କୌଣସି ଅପ୍ରୀତିକର ପରିସ୍ଥିତି, ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଶିଶୁ/ବୃଦ୍ଧ ନିଖୋଜ ହେଲେ ତୁରନ୍ତ ନିକଟସ୍ଥ ପୋଲିସ ସହାୟତା କେନ୍ଦ୍ର କିମ୍ବା ପୋଲିସ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି l ଏଥିପାଇଁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର 112 କିମ୍ବା 8018250001 ରେ କଲ୍ କରିପାରିବେ ବୋଲି କହିଛନ୍ତି l
ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପୋଲିସ ପକ୍ଷରୁ ୩ଟି ମୁଖ୍ୟ ରୁଟରେ ମାଗଣା ବସ୍ ସେବା ଯୋଗାଇ ଦିଆଯିବ :
1. ରୁଟ୍-୧: ଅଇଁଠାପାଲି ପ୍ରାଇଭେଟ୍ ବସ୍ ଷ୍ଟାଣ୍ଡରୁ ଜେଲ୍ ଛକ (ଧନକଉଡ଼ା ଓ ଭୂତାପଡ଼ା ଛକ ଦେଇ)।
2. ରୁଟ୍-୨: ରିଭର୍ ଇନ୍ ପାର୍କିଂରୁ ନେଲସନ୍ ମାଣ୍ଡେଲା ଛକ (ରିଙ୍ଗ ରୋଡ୍, ମାଣ୍ଡଲିଆ, ସମଲେଶ୍ୱରୀ ଓ ବାଲିବନ୍ଧ ଛକ ଦେଇ)।
3. ରୁଟ୍-୩: ଧନୁପାଲି ଛକରୁ ଭୂତାପଡ଼ା ଛକ (ଜେଲ୍ ଛକ ଦେଇ) l
ସହରର ଯେଉଁ ସ୍ଥାନ ମାନଙ୍କରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି, ସେଗୁଡିକ ହେଲା :
ଧନୁପାଲି / ଗୋବିନ୍ଦତୋଲା / ଜେଲ୍ ଛକ ପାର୍ଶ୍ୱ, ସମ୍ବଲପୁରୀ ଡେରା / 4-ସି ଗ୍ରାଉଣ୍ଡ,
ମୋଦିପଡ଼ା ପାର୍ଶ୍ୱ, ସାହୁ କଲୋନୀ (୪ ଚକିଆ) ଓ ଆର.ଓ ସମ୍ମୁଖ ଫୁଟପାଥ୍ (୨ ଚକିଆ) l ଚର୍ଚ୍ଚ ପାର୍ଶ୍ୱ, ଗ୍ରୀନ୍ ପାର୍କ ଏରିଆ (କ୍ୟାଥୋଲିକ୍ ଚର୍ଚ୍ଚ ନିକଟ), ଫାର୍ମ ରୋଡ୍ / କ୍ଷେତରାଜପୁର ପାର୍ଶ୍ୱ | ଫିସେରିଜ୍ ପଡ଼ିଆ (ପୁରୁଣା ମାଛ ପୋଖରୀ), ଭୂତାପଡ଼ା ପାର୍ଶ୍ୱ, ଜିଲ୍ଲା ସ୍କୁଲ ପଡ଼ିଆ (୨ ଚକିଆ ଏବଂ ଜରୁରୀକାଳୀନ ୪ ଚକିଆ ଗାଡ଼ି), ଅଇଁଠାପାଲି ପାର୍ଶ୍ୱ, ବୁଢ଼ାରାଜା ହାଇସ୍କୁଲ ପଡ଼ିଆ, ବୁଢ଼ାରାଜା ପାର୍ଶ୍ୱ, ବାଲାଜୀ ଗ୍ରୀନ୍ ଏଷ୍ଟେଟ୍ ଏବଂ ବୁଢ଼ାରାଜା ଦୈନିକ ବଜାର ପୁରୁଣା ମାଛ ମାର୍କେଟ (କେବଳ ୨ ଚକିଆ), ମାଲିପଡ଼ା,ଚର୍ଚ୍ଚ ପାର୍ଶ୍ୱ, ଜି.ଏମ୍ କଲେଜ ପଡ଼ିଆ, କ୍ଷେତରାଜପୁର,ବଡ଼ବଜାର ପାର୍ଶ୍ୱ, ସମଲେଶ୍ୱରୀ ମନ୍ଦିର ପାର୍କିଂ।
ଏଥିସହ ଶୋଭାଯାତ୍ରା ସମୟରେ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହର ଭିତରକୁ କୌଣସି ୪ ଚକିଆ କିମ୍ବା ଭାରୀ ଯାନ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ l ଶୀତଳଷଷ୍ଠୀ ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ଆନନ୍ଦମୟ କରିବା ପାଇଁ ସମ୍ବଲପୁର ପୋଲିସ ସମସ୍ତ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଛି।

