ମାଂସ ରାନ୍ଧିବାକୁ କହି ଘରୁ ବାହାରିଥିଲେ, ସକାଳେ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଦେହ
କଟକ ଜଗତପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳାବାଗ ବଢ଼େଇ ସାହିର ବାସିନ୍ଦା ସୁବାସ ନାଏକ (୩୦)ଙ୍କ ମୃତଦେହ ଜଗତପୁର ଟ୍ରକ୍ ଟର୍ମିନାଲ ନିକଟସ୍ଥ ନଦୀବନ୍ଧ କାଳୀ ମନ୍ଦିର ପାଖରେ ଥିବା ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ସୁବାସ କଟକ ଏସ୍ସିବି ମେଡିକାଲରେ ଏକ ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରୁଥିଲେ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କାମ ସାରି ଘରକୁ ଫେରିବା ପରେ କୌଣସି କାରଣରୁ ସ୍ତ୍ରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହା ପରେ ସେ ରାଗିଯାଇ ଘରୁ ବାହାରି ଜଗତପୁର ଝାଡ଼ୁ ବସ୍ତିରେ ରହୁଥିବା ପିଉସୀ ଝିଅ ଭଉଣୀଙ୍କ ଘରକୁ ଯାଇଥିଲେ। ସେଠାରେ ମାଂସ ଦେଇ “ମାଂସ ରାନ୍ଧ, ମୁଁ ଆସୁଛି” ବୋଲି କହି ବାହାରି ଯାଇଥିଲେ। କିନ୍ତୁ ରାତି ସାରା ସେ ଫେରିନଥିଲେ। ଆଜି ସକାଳେ ଟ୍ରକ୍ ଟର୍ମିନାଲ ନିକଟରେ ଥିବା ଏକ ଗଛରେ ଗାମୁଛା ସାହାଯ୍ୟରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଠାବ କରାଯାଇଥିଲା।
ସୁବାସଙ୍କର ଦୁଇଜଣ ନାବାଳକ ପୁଅ ଥିବା ବେଳେ ପରିବାର ଉପରେ ଏହି ଘଟଣା ଦୁଃଖର ପାହାଡ଼ ଭାଙ୍ଗି ଦେଇଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଜଗତପୁର ପୁଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ ଜୋନ୍-୧ ଏସିପି ଅରୁଣ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି।

