ବିଜେଡିରେ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ଚର୍ଚ୍ଚା ଜୋରଦାର, ନବୀନ ନିବାସ ବୈଠକ ପରେ ବଢ଼ିଲା ଜଳ୍ପନା
ବିଜୁ ଜନତା ଦଳ (ବିଜେଡି)ରେ ପୂର୍ବତନ IAS ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କ ଯୋଗଦାନକୁ ନେଇ ରାଜନୈତିକ ମହଳରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ନବୀନ ନିବାସରେ ବୁଧବାର ଅନୁଷ୍ଠିତ ଏକ ରୁଦ୍ଧଦ୍ୱାର ବୈଠକ ପରେ ଏହି ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ବୈଠକରେ ବରିଷ୍ଠ ନେତା ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିବାବେଳେ ସୁଜାତାଙ୍କ ରାଜନୈତିକ ଭବିଷ୍ୟତ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।
ଦଳୀୟ ସୂତ୍ରରୁ ମିଳୁଥିବା ଅପ୍ରମାଣିତ ସୂଚନା ଅନୁସାରେ, ୨୦୨୪ ନିର୍ବାଚନ ପରାଜୟ ପରେ ବିଜେଡିର ଭବିଷ୍ୟତ ନେତୃତ୍ୱକୁ ନେଇ ଚିନ୍ତନ ଚାଲିଛି। ଏହି ପରିପ୍ରେକ୍ଷୀରେ ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ଦଳରେ ସକ୍ରିୟ ଭୂମିକା ଦେବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା କୁହାଯାଉଛି। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଏପରି ସମସ୍ତ ନିଷ୍ପତ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ।
ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ସୁଜାତା କାର୍ତ୍ତିକେୟନ ବିଜେଡିରେ ଯୋଗଦେଲେ ତାଙ୍କୁ ସ୍ୱାଗତ କରାଯିବ। ମହିଳା ସଶକ୍ତିକରଣ ଓ ସାମାଜିକ କ୍ଷେତ୍ରରେ ତାଙ୍କର ଅବଦାନ ରହିଥିବାରୁ ସେ ଦଳ ପାଇଁ ସମ୍ପଦ ସାବ୍ୟସ୍ତ ହୋଇପାରନ୍ତି ବୋଲି ସେ କହିଛନ୍ତି। ତେବେ ସୁଜାତାଙ୍କ ଏଣ୍ଟ୍ରିକୁ ନେଇ ଚାଲିଥିବା ସମସ୍ତ ଆଲୋଚନା ଏବେ ସୁଦ୍ଧା କେବଳ ଚର୍ଚ୍ଚା ଓ ଜଳ୍ପନା ସ୍ତରରେ ରହିଛି, ଏବଂ ଦଳ ପକ୍ଷରୁ ଆଧିକାରିକ ଘୋଷଣା ଆସିବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ।

