ବିଜେଡିରେ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ଆଜି! ଶଙ୍ଖଭବନରେ ନବୀନଙ୍କ ଉପସ୍ଥିତିରେ ହେବ ଔପଚାରିକ ଯୋଗଦାନ
ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଆଜି ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେବାକୁ ଯାଉଛନ୍ତି। ଶଙ୍ଖଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ହେବାକୁ ଥିବା ଦଳୀୟ ବୈଠକରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି। ସେ ପ୍ରଥମେ ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗଦେବେ ବୋଲି କୁହାଯାଉଛି। ଏହି ବୈଠକରେ ବିଧାୟକ, ସାଂସଦ ଓ ୩୦ଟି ଜିଲ୍ଲାର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ।
ସୁଜାତା କାର୍ତ୍ତିକେୟନଙ୍କ ଯୋଗଦାନକୁ ନେଇ ଗତ କିଛିଦିନ ଧରି ବିଜେଡି ଭିତରେ ଜୋରଦାର ଚର୍ଚ୍ଚା ଚାଲିଥିଲା। ନିକଟରେ ନବୀନ ନିବାସରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ଟୁକୁନି ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଜେନାଙ୍କ ସହ ହୋଇଥିବା ବୈଠକରେ ଏନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଥିଲା। ଦଳର କୌଣସି ବରିଷ୍ଠ ନେତା ଆନୁଷ୍ଠାନିକ ଭାବେ ମତ ରଖିନଥିଲେ ମଧ୍ୟ, ସୁଜାତାଙ୍କ ଯୋଗଦାନକୁ ନେଇ ଦଳ ଭିତରେ ପ୍ରସ୍ତୁତି ଚାଲିଥିବା ସ୍ପଷ୍ଟ ସଙ୍କେତ ମିଳିଥିଲା।
ସୁଜାତା କାର୍ତ୍ତିକେୟନଙ୍କ ରାଜନୀତିରେ ପ୍ରବେଶକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଜେଡିର ଭବିଷ୍ୟତ ନେତୃତ୍ୱକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି। ଏହାମଧ୍ୟରେ ବିଜେଡିର କିଛି ଯୁବ ଓ ଛାତ୍ର ନେତା ସୋସିଆଲ ମିଡିଆରେ ସୁଜାତାଙ୍କୁ ସ୍ୱାଗତ ଜଣାଇ ପୋଷ୍ଟ କରିଥିବା ବେଳେ, ଦଳର ବରିଷ୍ଠ ନେତାମାନେ ଏନେଇ ଏପର୍ଯ୍ୟନ୍ତ ସାର୍ବଜନିକ ଭାବେ ମୁହଁ ଖୋଲିନାହାନ୍ତି।

