Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥଯାତ୍ରାରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ ପରିବହନ ବିଭାଗର ନୂଆ ନିୟମ ଓ ସୁବିଧା

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ସୁଗମ ଯାତାୟାତ ପାଇଁ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମନ୍ୱୟ ବୈଠକରେ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଅବସରରେ ପୁରୀକୁ ଅଧିକ ସଂଖ୍ୟାରେ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ପୁରୀ ରୁଟ୍‌ରେ ଅସ୍ଥାୟୀ ପରମିଟ୍ ଜାରି କରାଯିବା ସହ ପ୍ରତିଦିନ ଚଳାଚଳ କରୁଥିବା ପ୍ରାୟ ୨୦୦ ଘରୋଇ ବସ୍‌ର ସଂଖ୍ୟାକୁ ପ୍ରାୟ ଦୁଇଗୁଣା କରାଯିବ। ଏହାସହ OSRTC ଓ CRUT ପକ୍ଷରୁ ମଧ୍ୟ ଅତିରିକ୍ତ ସରକାରୀ ବସ୍ ଚଳାଚଳ କରିବ।

ଯାତ୍ରୀଙ୍କ ସୁବିଧା ପାଇଁ ପ୍ରତ୍ୟେକ ବସ୍‌ରେ ପ୍ରାଥମିକ ଚିକିତ୍ସା କିଟ୍, ପାନୀୟ ଜଳ ଓ ORS ପ୍ୟାକେଟ୍ ବ୍ୟବସ୍ଥା ରହିବ। ପୁରୀରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଓ ହେଲ୍ପଡେସ୍କ କାର୍ଯ୍ୟକ୍ଷମ ରହିବା ସହ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜାରି କରାଯିବ। ତାଳବଣିଆ ଓ ମାଳତୀପାଟପୁରରେ ବିଶ୍ରାମଗୃହ, ନିଃଶୁଳ୍କ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ ସୁବିଧା ଓ ଅନ୍ୟ ରାଜ୍ୟର ବସ୍‌ ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ। ସେଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ନିଃଶୁଳ୍କ ସଟଲ୍ ସର୍ଭିସ୍ ଓ ତାଳବଣିଆ ସମେତ ପ୍ରମୁଖ ପାର୍କିଂ ସ୍ଥାନରୁ ୪୫୦ଟି ନିଃଶୁଳ୍କ ଇ-ରିକ୍ସା ସେବା ମଧ୍ୟ ଉପଲବ୍ଧ ହେବ।

ରଥଯାତ୍ରା ସମୟରେ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଆଦାୟକୁ ରୋକିବା ପାଇଁ ପ୍ରତ୍ୟେକ ବସ୍‌ରେ ଭଡ଼ା ଚାର୍ଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ପୁରୀକୁ ଯୋଡ଼ୁଥିବା ସମସ୍ତ ରାସ୍ତାରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍, କ୍ରେନ୍, ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସହାୟତା ବ୍ୟବସ୍ଥା ରହିବ। ଭୁବନେଶ୍ୱର–ପୁରୀ ଓ ପୁରୀ–କୋଣାର୍କ ରାସ୍ତାରେ ଗାଡ଼ି ଖରାପ ହେଲେ ତୁରନ୍ତ ମରାମତି ସେବା ମିଳିବ। ସେହିପରି ଟ୍ରାଫିକ କଟକଣା, ରୁଟ୍ ପ୍ଲାନ୍ ଓ ଅନ୍ୟାନ୍ୟ ସୂଚନା ସୋସିଆଲ ମିଡିଆ, ଏଫ୍‌ଏମ୍ ରେଡିଓ ଓ ସମ୍ବାଦପତ୍ର ମାଧ୍ୟମରେ ପୂର୍ବରୁ ଜନସାଧାରଣଙ୍କୁ ଜଣାଇ ଦିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ