ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ବିଧାୟକ ବିଜୟଶଙ୍କର ଦାସ, ପ୍ରତ୍ୟୁଷାଙ୍କ ହାତ ଧରିଲେ
ପୂର୍ବରୁ ପ୍ରେମ ସମ୍ପର୍କ ଓ ପ୍ରତାରଣା ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ଦିବଙ୍ଗତ ବିଜେଡି ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସ ମଙ୍ଗଳବାର (ଜୁନ୍ ୨୪) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱରର କଳ୍ପନା ଛକ ନିକଟସ୍ଥ ଏକ ହୋଟେଲରେ ହିନ୍ଦୁ ରୀତିନୀତି ଅନୁସାରେ ସେ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିଛନ୍ତି। ବିବାହ ଉତ୍ସବ ଅତ୍ୟନ୍ତ ସାଦାସିଧା ଭାବେ ଓ ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା।
ବିବାହରେ ଉଭୟ ପରିବାରର ସମ୍ପର୍କୀୟଙ୍କ ସହ ବିଜେଡିର କେତେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ଦିବଙ୍ଗତ ବିଷ୍ଣୁ ଦାସଙ୍କ ଘନିଷ୍ଠ କିଛି ନେତା, ବିରିଡି ବ୍ଲକର କିଛି କର୍ମୀ ଓ ରଘୁନାଥପୁର ଅଞ୍ଚଳର କେତେକ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ତିର୍ତ୍ତୋଲର ବଡ଼ ନେତାମାନଙ୍କ ଉପସ୍ଥିତି ସେତେଟା ଦେଖିବାକୁ ମିଳିନଥିଲା। ବିବାହ ପରେ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା। ଏହି ବିବାହକୁ ନେଇ ଜଗତସିଂହପୁର ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ମସିହାରେ ବିଜୟଶଙ୍କର ଦାସଙ୍କ ବିରୋଧରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ଉଠିଥିଲା, ଯାହାକୁ ନେଇ ରାଜ୍ୟ ରାଜନୀତିରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ମାମଲା ଥାନାରେ ପହଞ୍ଚିବା ସହ ବିରୋଧୀ ଦଳ ମଧ୍ୟ ଏହାକୁ ନେଇ ଆନ୍ଦୋଳନ କରିଥିଲେ। ୨୦୨୪ ବିଧାନସଭା ନିର୍ବାଚନରେ ସେ ବିଜେଡିର ଟିକେଟ୍ ପାଇନଥିଲେ, ଯାହା ପଛରେ ଏହି ବିବାଦକୁ ମଧ୍ୟ ଏକ କାରଣ ବୋଲି ସେତେବେଳେ ରାଜନୈତିକ ମହଳରେ ଚର୍ଚ୍ଚା ହୋଇଥିଲା।

