Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମକୁ ନେଇ ବିବାଦ: ରିଲିଜ୍ ସ୍ଥଗିତ ରଖିବାକୁ ନିର୍ମାତାଙ୍କୁ ଗଜପତି ମହାରାଜଙ୍କ ଅନୁରୋଧ

ଆସନ୍ତା ଜୁଲାଇ ୧୦ରେ ମୁକ୍ତିଲାଭ କରିବାକୁ ଥିବା ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ ଦେଖାଦେଇଛି। ଭୁବନେଶ୍ୱରର ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ରେ ଶ୍ରୀଜଗନ୍ନାଥଙ୍କ ଲୀଳାକୁ ଶାସ୍ତ୍ରବିରୋଧୀ ଓ କଳ୍ପିତ ଭାବେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଫିଲ୍ମର ମୁକ୍ତିକୁ ସ୍ଥଗିତ ରଖିବାକୁ ନିର୍ମାତାଙ୍କୁ ଅନୁରୋଧ କରିଛନ୍ତି।

ଗଜପତି ମହାରାଜ କହିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଟ୍ରେଲର୍‌ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଏଭଳି କାହାଣୀ ଦର୍ଶାଯାଇଛି, ଯାହା ବେଦବ୍ୟାସଙ୍କ ରଚିତ ଶାସ୍ତ୍ର ଓ ପାରମ୍ପରିକ ବର୍ଣ୍ଣନା ସହ ସମଞ୍ଜସ ନୁହେଁ। ମହାପ୍ରଭୁଙ୍କ ମହିମା ସମ୍ପର୍କିତ କୌଣସି ଉପସ୍ଥାପନା ଶାସ୍ତ୍ର ଅନୁସାରେ ହେବା ଉଚିତ୍ ବୋଲି ସେ କହିଛନ୍ତି। ଯଦି କଳ୍ପିତ କିମ୍ବା ବିକୃତ କାହାଣୀ ପ୍ରଚାର କରାଯାଏ, ତେବେ ଏହା ବିଶ୍ୱବ୍ୟାପୀ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇପାରେ ବୋଲି ସେ ସତର୍କ କରିଛନ୍ତି।

ଗଜପତି ମହାରାଜ ଆହୁରି ଅନୁରୋଧ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଦ୍ୱାରା ନିଯୁକ୍ତ ବିଶେଷଜ୍ଞମାନେ ଫିଲ୍ମର ବିଷୟବସ୍ତୁକୁ ଯାଞ୍ଚ ଓ ପ୍ରାମାଣିକତା ଯାଞ୍ଚ କରିବା ପର୍ଯ୍ୟନ୍ତ ଏହାକୁ ସିନେମା ହଲ୍ କିମ୍ବା କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୁକ୍ତି ଦିଆ ନଯାଉ।

ସତ୍ୟଜିତ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଆନିମେଟେଡ୍ ଫିଲ୍ମରେ ଆଧୁନିକ ଆନିମେସନ୍ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ କାହାଣୀକୁ ବିଶ୍ୱ ଦର୍ଶକ ଏବଂ ଶିଶୁମାନଙ୍କ ନିକଟରେ ପହଞ୍ଚାଇବାର ଉଦ୍ଦେଶ୍ୟ ରହିଥିବା କୁହାଯାଉଛି। ହେଲେ ଧାର୍ମିକ ଗବେଷକ ଓ ଜଗନ୍ନାଥ ପରମ୍ପରାର ଜ୍ଞାତାମାନଙ୍କ ମତରେ, ସୃଜନଶୀଳ ସ୍ୱାଧୀନତା ନାମରେ ଶାସ୍ତ୍ରୀୟ କାହାଣୀରେ ପରିବର୍ତ୍ତନ କରିବା ଉଚିତ୍ ନୁହେଁ। ଏହା ଭକ୍ତମାନଙ୍କୁ ଭ୍ରମିତ କରିପାରେ।

ଏହି ପ୍ରସଙ୍ଗକୁ ନେଇ ଓଡ଼ିଶାର ବିଭିନ୍ନ ମହଲରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଅନେକ ଭକ୍ତ ଓ ସାମାଜିକ ସଂଗଠନ ଫିଲ୍ମର ବିଷୟବସ୍ତୁକୁ କଡ଼ା ଯାଞ୍ଚ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଫିଲ୍ମର ନିର୍ମାତା ସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ଗଜପତି ମହାରାଜଙ୍କ ଅନୁରୋଧ ସମ୍ପର୍କରେ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ।

ଜୁଲାଇ ୧୦ରେ ଧାର୍ଯ୍ୟ ହୋଇଥିବା ମୁକ୍ତି ପୂର୍ବରୁ ବଢ଼ୁଥିବା ବିବାଦ ମଧ୍ୟରେ ଫିଲ୍ମର ଭବିଷ୍ୟତ କ’ଣ ହେବ, ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ