ଜୁଲାଇ ୧ରୁ ଗଠନ ହେବ ନୂଆ ସ୍କୁଲ ପରିଚାଳନା କମିଟି; ଓସେପା ଜାରି କଲା ନୂଆ ମାର୍ଗଦର୍ଶିକା
ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜୁଲାଇ ୧ରୁ ନୂଆ ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି) ଗଠନ ପ୍ରକ୍ରିୟା ଆରମ୍ଭ ହେବ। ବର୍ତ୍ତମାନର କମିଟିଗୁଡ଼ିକର କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହେଉଥିବାରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ପଠାଇଥିବା ବେଳେ ଜୁଲାଇ ୨୨ ସୁଦ୍ଧା ସମଗ୍ର ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ୍-୨୦୨୬ ଆଧାରରେ ଓଡ଼ିଶା ପାଇଁ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଏଣିକି ପ୍ରତ୍ୟେକ ବିଦ୍ୟାଳୟରେ କେବଳ ଗୋଟିଏ ଏସ୍ଏମ୍ସି ରହିବ ଏବଂ ପୂର୍ବରୁ ଥିବା ସ୍କୁଲ ମ୍ୟାନେଜମେଣ୍ଟ ଆଣ୍ଡ ଡେଭଲପମେଣ୍ଟ କମିଟି (ଏସ୍ଏମ୍ଡିସି) ବ୍ୟବସ୍ଥାକୁ ବିଲୋପ କରାଯାଇଛି। ଏହା ସହିତ ବିଦ୍ୟାଳୟ ଗୃହ ନିର୍ମାଣ କମିଟି ଓ ଏକାଡେମିକ କମିଟି ନାମରେ ଦୁଇଟି ଉପକମିଟି ମଧ୍ୟ ଗଠନ କରାଯିବ। ଜୁଲାଇ ୧ରୁ ୧୫ ମଧ୍ୟରେ ଅଭିଭାବକ-ଶିକ୍ଷକ ବୈଠକ ଏବଂ ସଦସ୍ୟ ଚୟନ ପ୍ରକ୍ରିୟା ହେବାକୁ ଥିବାବେଳେ ଜୁଲାଇ ୧୭ ସୁଦ୍ଧା ନୂଆ କମିଟି ଗଠନ ସମ୍ପୂର୍ଣ୍ଣ କରାଯିବ।
ନୂଆ ନିୟମ ଅନୁଯାୟୀ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ଆଧାରରେ ୧୨ରୁ ୨୫ ଜଣ ପର୍ଯ୍ୟନ୍ତ ସଦସ୍ୟ ରହିବେ। କମିଟିର ୭୫ ପ୍ରତିଶତ ସଦସ୍ୟ ବିଦ୍ୟାଳୟର ପିତାମାତା କିମ୍ବା ଆଇନଗତ ଅଭିଭାବକ ହେବେ ଏବଂ ଅତିକମରେ ୫୦ ପ୍ରତିଶତ ମହିଳା ସଦସ୍ୟ ରହିବା ବାଧ୍ୟତାମୂଳକ କରାଯାଇଛି। ବାକି ସଦସ୍ୟଙ୍କ ମଧ୍ୟରେ ସ୍ଥାନୀୟ ଜନପ୍ରତିନିଧି, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍ ସାମିଲ ହେବେ। ଏହି କମିଟିର କାର୍ଯ୍ୟକାଳ ଦୁଇ ବର୍ଷ ହେବ ଏବଂ ପ୍ରତି ମାସରେ ଅତିକମରେ ଥରେ ବୈଠକ କରିବା ବାଧ୍ୟତାମୂଳକ ବୋଲି ଓସେପା ସ୍ପଷ୍ଟ କରିଛି।

