୧,୫୦୦ କି.ମି. ଲମ୍ବା ମୌସୁମୀ ବର୍ଷାକୁ କଏଦ କଲା ଉପଗ୍ରହ; ଉତ୍ତର ଭାରତରେ ବର୍ଷା ସମ୍ଭାବନା ବଢ଼ିଲା
ଦୀର୍ଘ ଦିନର ତାତି ଓ ବିଳମ୍ବିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ପରେ ଉତ୍ତର ଭାରତ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଉପଗ୍ରହ ଚିତ୍ରରେ ବଙ୍ଗୋପସାଗରର ଉତ୍ତର ଭାଗରୁ ଆରମ୍ଭ କରି ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ପ୍ରାୟ ୧,୫୦୦ କିଲୋମିଟର ଲମ୍ବା ମୌସୁମୀ ବର୍ଷା ପଟ୍ଟି (Monsoon Trough) ସୃଷ୍ଟି ହୋଇଥିବା ଦେଖାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ, ଏହି ପଟ୍ଟି ଧୀରେ ଧୀରେ ଦକ୍ଷିଣ ଆଡ଼କୁ ଗତି କଲେ ଜୁଲାଇ ୧ରୁ ୪ ମଧ୍ୟରେ ଉତ୍ତର ଭାରତରେ ବଜ୍ରପାତ ସହ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି।
INSAT-3DS ଉପଗ୍ରହ ଚିତ୍ରରେ ପୂର୍ବ ଭାରତରୁ ହିମାଳୟ ପାଦଦେଶ ପର୍ଯ୍ୟନ୍ତ ଘନ ବାଦଲର ବିସ୍ତୃତ ପଟ୍ଟି ସ୍ପଷ୍ଟ ଭାବେ ଦେଖାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ, ମୌସୁମୀ ବର୍ଷା ପଟ୍ଟି ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ମୁଖ୍ୟ ଆଧାର। ଏହା ଆରବ ସାଗର ଓ ବଙ୍ଗୋପସାଗରରୁ ଆର୍ଦ୍ରତାଭରା ପବନକୁ ଭାରତର ଭିତର ଅଞ୍ଚଳକୁ ଟାଣି ଆଣିଥାଏ। ଗତ କିଛି ସପ୍ତାହ ଧରି ଏହି ପଟ୍ଟି ହିମାଳୟ ପାଦଦେଶ ନିକଟରେ ଥିବାରୁ ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନ ଭଳି ଅଞ୍ଚଳରେ ତୀବ୍ର ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା।
ପାଣିପାଗ ବିଭାଗ ଆହୁରି ସୂଚନା ଦେଇଛି ଯେ, ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ମୌସୁମୀ ବର୍ଷାକୁ ଆହୁରି ସକ୍ରିୟ କରିବା ସହ ଦିଲ୍ଲୀ, ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ବ୍ୟାପକ ବର୍ଷାର ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରେ। ପୂର୍ବାନୁମାନ ସଠିକ୍ ହେଲେ ଜୁଲାଇ ପ୍ରଥମ ସପ୍ତାହରେ ଦିଲ୍ଲୀ ସମେତ ଉତ୍ତର ଭାରତରେ ବହୁ ପ୍ରତୀକ୍ଷିତ ମୌସୁମୀ ବର୍ଷା ପହଞ୍ଚିବ ଏବଂ ତାତିରୁ ଲୋକମାନେ ଆଶ୍ୱସ୍ତି ପାଇବେ।

