Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରିୟାନି ଭାରତୀୟ ଖାଦ୍ୟ ନୁହେଁ! ତଥାପି ଭାରତରେ ଏତେ ଲୋକପ୍ରିୟ ହେଲା କିପରି? ଜାଣନ୍ତୁ…

ବିରିୟାନି କେବଳ ଏକ ଖାଦ୍ୟ ନୁହେଁ, ବରଂ କୋଟି କୋଟି ଖାଦ୍ୟପ୍ରେମୀଙ୍କର ଭାବନା ସହ ଜଡ଼ିତ ଏକ ଲୋକପ୍ରିୟ ବ୍ୟଞ୍ଜନ। ଭାରତର ପ୍ରାୟ ପ୍ରତ୍ୟେକ ସହର ଓ ରାଜ୍ୟରେ ନିଜସ୍ୱ ଶୈଳୀରେ ବିରିୟାନି ପ୍ରସ୍ତୁତ କରାଯାଏ। ବିରିୟାନି କିପରି ଭାରତକୁ ଆସିଲା ଆଉ ଲୋକଙ୍କର ପ୍ରିୟ ବନିଲା ଏହି ରହସ୍ୟ ଉପରେ ହୁଏତ କେହି ଧ୍ୟାନ ଦେଇ ନଥିବେ | ତେବେ ଅନେକଙ୍କୁ ଅଜଣା ଥିବା କଥା ହେଲା, ବିରିୟାନିର ଜନ୍ମ ପ୍ରକୃତରେ ଭାରତରେ ହୋଇନଥିଲା। ଇତିହାସ ଅନୁସାରେ ଏହାର ମୂଳ ଫାରସ (ବର୍ତ୍ତମାନର ଇରାନ) ସହ ଜଡ଼ିତ। ‘ବିରିୟାନି’ ଶବ୍ଦଟି ଫାରସୀ ଭାଷାର ‘ବିରିୟାନ’ ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି ରାନ୍ଧିବା ପୂର୍ବରୁ ଭାଜିବା। ଆଉ କେତେକ ଇତିହାସବିଦ୍ ଏହାକୁ ‘ବରିଞ୍ଜ’ ଶବ୍ଦ ସହ ଯୋଡ଼ିଥାନ୍ତି, ଯାହାର ଅର୍ଥ ହେଉଛି ଚାଉଳ।

ତେବେ ଭାରତକୁ ବିରିୟାନି କିପରି ଭାବରେ ଆସିଲା, ତାହାକୁ ନେଇ ବିଭିନ୍ନ ମତ ରହିଛି। ଗୋଟିଏ ମତ ଅନୁସାରେ, ୧୪ଶ ଶତାବ୍ଦୀରେ ମଧ୍ୟ ଏସୀୟ ଶାସକ ତୈମୁର ଲଙ୍ଗ ତାଙ୍କ ସୈନ୍ୟଙ୍କ ପାଇଁ ସହଜ ଓ ପୌଷ୍ଟିକ ଖାଦ୍ୟ ଭାବେ ବିରିୟାନିକୁ ଭାରତକୁ ଆଣିଥିଲେ। ଅନ୍ୟପଟେ, ଆଉ ଏକ ପ୍ରଚଳିତ କାହାଣୀ ମୁଘଲ ସମ୍ରାଟ୍ ଶାହଜାହାନଙ୍କ ପତ୍ନୀ ମୁମତାଜ ମହଲଙ୍କ ସହ ଜଡ଼ିତ। କୁହାଯାଏ, ସୈନ୍ୟମାନଙ୍କ ଦୁର୍ବଳ ସ୍ୱାସ୍ଥ୍ୟ ଦେଖି ସେ ବାବୁର୍ଚ୍ଚିଙ୍କୁ ଚାଉଳ, ମାଂସ, ଘିଅ ଓ ମସଲା ମିଶାଇ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରିବାକୁ କହିଥିଲେ। ସେହି ବ୍ୟଞ୍ଜନ ପରେ ବିରିୟାନି ନାମରେ ପରିଚିତ ହୋଇଥିଲା। ଆଉ କିଛି ଇତିହାସବିଦଙ୍କ ମତରେ, ଆରବ ବ୍ୟବସାୟୀଙ୍କ ମାଧ୍ୟମରେ ବିରିୟାନି ପ୍ରଥମେ ଦକ୍ଷିଣ ଭାରତର ମାଲାବାର ଉପକୂଳରେ ପହଞ୍ଚିଥିଲା।

ସମୟ ସହିତ ଭାରତର ବିଭିନ୍ନ ଅଞ୍ଚଳରେ ବିରିୟାନିର ସ୍ୱାଦ ଓ ପ୍ରସ୍ତୁତି ପଦ୍ଧତିରେ ପରିବର୍ତ୍ତନ ଆସିଥିଲା। ଅବଧର ନବାବମାନେ ବିରିୟାନିରେ କେଉଡ଼ା, ଗୋଲାପ ଜଳ ଓ ସୁଗନ୍ଧିତ ମସଲାର ବ୍ୟବହାର ଆରମ୍ଭ କରିଥିବା ବେଳେ, ହାଇଦ୍ରାବାଦରେ ସ୍ଥାନୀୟ ମସଲା ସହ ପ୍ରସ୍ତୁତ ହୋଇଥିଲା ପ୍ରସିଦ୍ଧ ହାଇଦ୍ରାବାଦୀ ବିରିୟାନି। ସେହିପରି, ନବାବ ୱାଜିଦ୍ ଅଲି ଶାହ କୋଲକାତାକୁ ନିର୍ବାସିତ ହେବା ପରେ ଆର୍ଥିକ ସମସ୍ୟା ଯୋଗୁଁ ବିରିୟାନିରେ ଆଳୁ ବ୍ୟବହାର ଆରମ୍ଭ ହୋଇଥିଲା, ଯାହା ଆଜି କୋଲକାତା ବିରିୟାନିର ପ୍ରମୁଖ ପରିଚୟ। ଏହିଭଳି ଭାବେ ବିଭିନ୍ନ ଅଞ୍ଚଳର ସ୍ୱାଦ ଓ ପରମ୍ପରା ସହ ମିଶି ବିରିୟାନି ଆଜି ବିଶ୍ୱର ସବୁଠୁ ଲୋକପ୍ରିୟ ବ୍ୟଞ୍ଜନମାନଙ୍କ ମଧ୍ୟରେ ସ୍ଥାନ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ