ସମସ୍ୟା ଘେରରେ ଜାତୀୟ ସ୍ତରରେ ପଞ୍ଚାୟତ ଆୱାର୍ଡ଼ ପାଇଥିବା ସର୍ଡ଼ା ଗାଁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ
ଜମନକିରା : କିଛି ମାସ ପୂର୍ବରୁ ସମ୍ବଲପୁର ଜିଲ୍ଲା ସର୍ଡା ଗ୍ରାମ ପଞ୍ଚାୟତ କୁ ଜାତୀୟ ସ୍ତରରେ ଜାତୀୟ ପଞ୍ଚାୟତ ଆୱାର୍ଡ଼ ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବର୍ତ୍ତମାନ ଉକ୍ତ ପଞ୍ଚାୟତ ସଦର ମହକୁମାରେ ଥିବା ସର୍ଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅବସ୍ଥା କହିଲେ ନସରେ। ନାନା ସମସ୍ୟାରେ ଜର୍ଜରିତ ଉକ୍ତ ବିଦ୍ୟାଳୟରେ ମୌଳିକ ସମସ୍ୟା ଯୋଗୁଁ ଡହକ ବିକଳ ହେଉଛନ୍ତି ଛାତ୍ରୀ, ଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ପ୍ରଶାସନ ପାଖରେ ଦାବି କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଏହି ସର୍ଡ଼ା ଗ୍ରାମ ପଞ୍ଚାୟତ ଓ ଗ୍ରାମଟି ବଣ ପାହାଡ଼ ଘେରା ପ୍ରାକୃତିକ ଘଞ୍ଚ ଜଙ୍ଗଲ ଭରା ପରିବେଶ ମଧ୍ୟରେ ହୋଇଥିବା ବେଳେ ଗତ ୯ବର୍ଷ ତଳେ ତତ୍କାଳୀନ ସମ୍ବଲପୁର ଲୋକସଭା ସାଂସଦ ନଗେନ୍ଦ୍ର ପ୍ରଧାନ ଏଵଂ ତତ୍କାଳୀନ ସମ୍ବଲପୁର ଜିଲ୍ଲାପାଲ ବଳବନ୍ତ ସିଂ ଙ୍କ ଉଦ୍ୟମ କ୍ରମେ ଏହି ଗ୍ରାମକୁ ସାଂସଦ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇଥିଲା। ଆଉ ଏବେ ଏହି ଗ୍ରାମ ପଞ୍ଚାୟତ ଟି କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ପଞ୍ଚାୟତ ଆୱାର୍ଡ଼ ପାଇଁ ପୁରସ୍କୃତ କରାଯାଇଛି। ତତ୍ ସହିତ ସମ୍ବଲପୁର ଜିଲ୍ଲା ସମଗ୍ର ରାଜ୍ୟରେ ଗ୍ରାମୀଣ ଗୃହ ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି। ହେଲେ ଦୀପ ତଳ ଅନ୍ଧାର ଭଳିଆ ଏହି ପଞ୍ଚାୟତ ସଦର ମହକୁମାର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମୌଳିକ ଆବଶ୍ୟକତାର ଘୋର ଅଭାବ ରହିଛି। ସରକାର ଓ ପ୍ରଶାସନ ଉଭୟ ମିଶି ନାନା ଉନ୍ନତି ହୋଇଥିବା ସମନ୍ଧେ ସାରା ରାଜ୍ୟରେ ଡିଣ୍ଡିମି ପିଟୁଥିବା ବେଳେ ବାସ୍ତବରେ ତାହା ଓଲଟା ହେଉଥିବା ଦେଖାଯାଉଛି। ସଦର ମହକୁମାରେ ଅବସ୍ଥିତ ଥିବା ଏହି ସ୍କୁଲ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଖୋଲାଯାଇଛି। ଉଚ୍ଚ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟରେ ମୋଟ ୧୮୧ ଜଣ ଛାତ୍ରୀ ଛାତ୍ର ପାଠ ପଢୁଛନ୍ତି। ସେଥି ମଧ୍ୟରୁ ବାଳିକା ହଷ୍ଟେଲ ରେ ୮୦ ଜଣ ଅବସ୍ଥାନ କରୁଥିବା ବେଳେ ବାଳକ ହଷ୍ଟେଲରେ ୬୩ ଜଣ ଛାତ୍ର ଅବସ୍ଥାନ କରୁଛନ୍ତି। ଉଭୟ ସ୍କୁଲର ଦୂରତା ପ୍ରାୟ ୨ କିଲୋମିଟର ହେବ। ୯ମ ଓ ୧୦ମ ଶ୍ରେଣୀ ଥିବା ଉଚ୍ଚ ବିଦ୍ୟାଳୟ ଠାରୁ ପ୍ରାଥମିକ ବିଦ୍ୟାଳୟର ଦୂରତା ପ୍ରାୟ ଦୁଇ କିଲୋମିଟର ଦୂରତା ଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିଛି ବାଳିକା ହଷ୍ଟେଲ ଏଵଂ ଅନ୍ୟଠି ରହିଛି ବାଳକ ହଷ୍ଟେଲ। ବାଳିକା ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ପ୍ରତ୍ୟେକ ଦିନ ୨ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଅତିକ୍ରମ କରି ସ୍କୁଲକୁ ଅଧ୍ୟୟନ ପାଇଁ ଆସୁଥିବା ବେଳେ ଅନୁରୂପ ଭାବେ ବାଳକ ହଷ୍ଟେଲରେ ରହୁଥିବା ପ୍ରାଥମିକ ପଢୁଥିବା ଛାତ୍ର ମାନେ ସେଭଳି ଭାବେ ଚାଲି ଚାଲି ସ୍କୁଲ କୁ ଯିବା ଆସିବା କରନ୍ତି। ଘଞ୍ଚ ଜଙ୍ଗଲ ପରିବେଶ ମଧ୍ୟରେ ସ୍କୁଲ ଗୁଡିକ ରହିଥିବା ଯୋଗୁଁ ପ୍ରାୟତଃ ଜଙ୍ଗଲି ଜୀବଜନ୍ତୁଙ୍କ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଅନାୟାସରେ ଚରାବୁଲା କରୁଥିବା ଜୀବଜନ୍ତୁଙ୍କ ଯୋଗୁଁ ଛାତ୍ରୀ ଛାତ୍ର ମାନେ ବେଳେ ବେଳେ ଭୟଭୀତ ମଧ୍ୟ ହୋଇଥାନ୍ତି। ଗତ ୭ ଦିନରୁ ଅଧିକ ହେବ ବିଦ୍ୟୁତ ତାରରେ ଗଛ ପଡିଯିବା ହେତୁ ୭ଦିନ ହେଲା ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଏଥିପାଇଁ ଉଭୟ ସ୍କୁଲ ଓ ହଷ୍ଟେଲ ଗୁଡିକରେ ବିଦ୍ୟୁତ ସମସ୍ୟା ସହ ଉତ୍କଟ ପାଣି ସମସ୍ୟା ଦେଖା ଦେଇଛି। ସ୍କୁଲ କର୍ତ୍ତୃପକ୍ଷ ଏବଂ ଛାତ୍ରୀ ଛାତ୍ର ମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ୭ ଦିନ ହେଲା ଘୋର ସମସ୍ୟା ଉପୁଜିଛି। ବୋରୱେଲ ଯାହା ବି ଅଛି ସେଥିରେ ହ୍ୟାଣ୍ଡ ପମ୍ପ ନଥିବାରୁ ପାଣି ବାହାର କରାଯାଇ ପାରୁନାହିଁ। ସ୍କୁଲ ନିକଟରେ ଯୋଉ ବୋରୱେଲ ରହିଛି, ସେଥିରୁ ଲୁହା ପାଣି ବାହାରୁଛି। ଯାହାକି ପିଇବା କିମ୍ବା ବ୍ୟବହାର ପାଇଁ ଉପଯୋଗୀ ନୁହଁ। ଉଭୟ ସ୍କୁଲରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ମଧ୍ୟ କମ ରହିଛି। ଯଦ୍ୱାରା ଶିଶୁ ବାଟିକା ଠାରୁ ଆରମ୍ଭ କରି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼େଇବା କଷ୍ଟକର ହୋଇ ପଡ଼ିଛି। ଶ୍ରେଣୀ କୋଠରୀ କଥା ନକହିଲେ ଭଲ। ଗୋଟିଏ ପଟେ ୧୧ ଟି ଶ୍ରେଣୀ ନିହାତି ଆବଶ୍ୟକ ଥିବା ବେଳେ ଅନେକ ସ୍କୁଲ କୋଠରୀ ଗୁଡିକରେ ଛାତରୁ ପାଣି ଗଳୁଛି। ବେଞ୍ଚ ଡେସ୍କ ଗୁଡ଼ିକ ପାଣିରେ ଭିଜି ଖରାପ ହୋଇ ଗଲାଣି। ସେଭଳି ସ୍ଥାନରେ ପିଲାମାନେ ପାଠ ପଢ଼ିବା ପାଇଁ ବାଧ୍ୟ ହୋଇ ଯାଉଛନ୍ତି। ଛାତରୁ ପାଣି ଝରି ଝରି ପଡୁଥିବା ବେଳେ ଛାତ ଗୁଡ଼ିକ ଦୁର୍ବଳ ହୋଇ ଗଲାଣି। ଭବିଷ୍ୟତରେ କିଛି ଅଘଟଣ ନହେବ କିଏ ଅବା କହିବ। କିଛି ଅଘଟଣ ହେବା ପୂର୍ବରୁ ସରକାର ଓ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ହାଇସ୍କୁଲରେ ବାଉଣ୍ଡ୍ରୀ ନାହିଁ। ନିଛାଟିଆ ସ୍ଥାନରେ ଉଚ୍ଚ ବିଦ୍ୟାଳୟ ଟି ନିର୍ମାଣ ହୋଇଥବା ବେଳେ ବନ୍ୟଜନ୍ତୁ ସଂରକ୍ଷଣ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ସ୍କୁଲ ପାଖାପାଖି ଚାଲି ଆସୁଛନ୍ତି। ଯାହାକି ବିପଦମୁଖି ସାଜୁଛି। ସରକାର ଓ ପ୍ରଶାସନ ଆୱାର୍ଡ଼ ପାଇ ଖୁସି ବ୍ୟକ୍ତ କରୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖା ଯାଉଛି। ସର୍ଡ଼ା ପଞ୍ଚାୟତ ଟି ପରିବେଶ ସୁରକ୍ଷା ନେଇ ଯେଉଁ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପଞ୍ଚାୟତ ଆୱାର୍ଡ ହାସଲ କରି ପାରିଛି, ତାହା ହେଲା ସୋଲାର ସିଷ୍ଟମ୍। ସୋଲାର ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରେଇବା, ସୋଲାର ଦ୍ୱାରା ବିଦ୍ୟୁତ ଉତ୍ପାଦନ, ସୋଲାର ଦ୍ୱାରା ବିଭିନ୍ନ ପ୍ରକାରର ଲାଇଟ୍ ବ୍ୟବସ୍ଥା, ଆଲୋକି କରଣ, ରନ୍ଧନ ପ୍ରକ୍ରିୟା, ମୋଟର ପମ୍ପ ଦ୍ୱାରା ଜଳ ଯୋଗାଣ ଆଦି ଅନେକ ବ୍ୟବସ୍ଥା ହୋଇଛି। ହେଲେ ଏବେ ଉକ୍ତ ସମସ୍ତ ସୋଲାର ସିଷ୍ଟମ୍ ଫେଲ୍ ମାରୁଛି। କାରଣ ବର୍ଷା ଦିନରେ ସୂର୍ଯ୍ୟଙ୍କ କିରଣ ସଠିକରେ ପଡୁନଥିବାରୁ ସବୁ ସୋଲାର ଠିକରେ ଚାର୍ଜ ହୋଇ ପାରୁନାହିଁ। ଯଦ୍ୱାରା ପାଣି ପମ୍ପ ରୁ ପାଣି ଟାଙ୍କିକୁ ଉଠି ପାରୁନାହିଁ। ପିଲାମାନେ ଆବଶ୍ୟକ ହେଉଥିବା ସ୍ନାନ, ଶୌଚ, ପିଇବା ପାଣି ଭଲରେ ପାଇ ପାରୁ ନାହାନ୍ତି। ସେହିପରି ରୋଷେଇ ଘରଟି ବହୁତ ପୁରୁଣା ହୋଇଥିବା ଯୋଗୁଁ ଏତେ ସଂଖ୍ୟକ ଛୁଆଙ୍କ ରୋଷେଇ ରେ ବାଧା ସୃଷ୍ଟି ହେଉଛି, ଅନ୍ୟ ପକ୍ଷେ ବର୍ଷାରେ ପାଣି ଗଳୁଛି। ଆହୁରି ଅନେକ ସମସ୍ୟା ଦେଖାଯାଉଛି। ତେଣୁ ସରକାର ଓ ପ୍ରଶାସନ ଏଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରୁଛନ୍ତି।
ଏସଂକ୍ରାନ୍ତରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ, ସେ ନିଶ୍ଚିତ ଭାବରେ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

