ପାଣ୍ଡିଆନ ସତ୍ୟସାଇ ଇଣ୍ଟରନ୍ୟାସନାଲ ସଂଗଠନର ସ୍ୱେଚ୍ଛାସେବକ ଭାବେ ଭେନେଜୁଏଲା ଯାଇଥିଲେ
ଭେନେଜୁଏଲା ଗସ୍ତରେ ଥିବା ପୂର୍ବତନ IAS ଅଧିକାରୀ ତଥା ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତିରେ ନୂଆ ବିବାଦ ଦେଖାଦେଇଛି। ବିଜେଡି ନେତାମାନେ ଦାବି କରିଛନ୍ତି ଯେ, ଭୂକମ୍ପ ପରବର୍ତ୍ତୀ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ପରାମର୍ଶ ଦେବା ପାଇଁ ଭାରତ ସରକାରଙ୍କ ସହଯୋଗରେ ପାଣ୍ଡିଆନଙ୍କୁ ଭେନେଜୁଏଲା ପଠାଯାଇଥିଲା। ଏପରିକି କିଛି ବିଜେଡି ନେତା ତାଙ୍କୁ “ସାଇକ୍ଲୋନ ମ୍ୟାନ୍” ବୋଲି ସମ୍ବୋଧନ କରି ପ୍ରଶଂସା କରିଛନ୍ତି। ତେବେ ଏହି ଦାବିକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।
ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳଙ୍କ ଅଭିଯୋଗ ଅନୁସାରେ, ପାଣ୍ଡିଆନ କୌଣସି ସରକାରୀ କିମ୍ବା ଜାତିସଂଘର ପ୍ରତିନିଧି ଭାବେ ନୁହେଁ, ବରଂ ସତ୍ୟସାଇ ଇଣ୍ଟରନ୍ୟାସନାଲ ସଂଗଠନର ସ୍ୱେଚ୍ଛାସେବକ ଭାବେ ଭେନେଜୁଏଲା ଯାଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଭୂମିକମ୍ପ ମୁକାବିଲାର ଅନୁଭବ ନଥିବା ସତ୍ତ୍ୱେ ପାଣ୍ଡିଆନଙ୍କୁ ଏପରି ବିଶେଷଜ୍ଞ ଭାବେ ପ୍ରଚାର କରିବା କେବଳ ରାଜନୈତିକ ପ୍ରଚାର। ଅନ୍ୟପଟେ ବିଜେଡି ନିଜ ଦାବିରେ ଅଟଳ ରହିଛି ଏବଂ କହିଛି ଯେ ପାଣ୍ଡିଆନଙ୍କ ଗସ୍ତ ଭାରତ ସରକାରଙ୍କ ସହଯୋଗରେ ହୋଇଛି।
ଏହି ବିବାଦ ମଧ୍ୟରେ ପାଣ୍ଡିଆନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଏବଂ ସତ୍ୟସାଇ ଇଣ୍ଟରନ୍ୟାସନାଲ ସଂଗଠନ ସହ ତାଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ରାଜନୈତିକ ମହଲରେ ଏହାକୁ ପାଣ୍ଡିଆନଙ୍କ ଛବିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବାର ଏକ ପ୍ରୟାସ ବୋଲି କୁହାଯାଉଛି। ତେବେ ପାଣ୍ଡିଆନଙ୍କ ଗସ୍ତର ପ୍ରକୃତ ସ୍ୱରୂପ କ’ଣ, ସେନେଇ ଉଭୟ ଦଳର ଦାବି-ପ୍ରତିଦାବି ମଧ୍ୟରେ ରାଜନୈତିକ ତର୍କ ଜାରି ରହିଛି।

