ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ ଚିହ୍ନଟ ପରେ ସତର୍କ ଓଡ଼ିଶା; ରଥଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ସତର୍କ ହୋଇଛନ୍ତି । ବିଶେଷକରି ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାରୁ ରାଜ୍ୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କୋଭିଡ୍ ସ୍ଥିତିର ସମୀକ୍ଷା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ କୋଭିଡ୍ ପରିସ୍ଥିତି ଓ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି।
ରଥଯାତ୍ରା ସମୟରେ ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ଏବଂ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ଚିହ୍ନଟ ସହ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାରୁ ଓଡ଼ିଶା ସରକାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବାକୁ ମଧ୍ୟ କୁହାଯାଇଛି।
ସେହିପରି ସୀମାନ୍ତବର୍ତ୍ତୀ ଜିଲ୍ଲାର ପ୍ରଶାସନକୁ ସଜାଗ ରହିବା ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ପରି ବୃହତ୍ ଧାର୍ମିକ ସମାରୋହକୁ ଦୃଷ୍ଟିରେ ରଖି ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି।

