ଆଙ୍ଗନବାଡ଼ି ଦିଦିଙ୍କ ସାହସିକ ବୟାନକୁ ନେଇ ଚର୍ଚ୍ଚା, ସରକାରୀ କର୍ମଚାରୀ ମାନ୍ୟତା ଦାବି ଜୋରଦାର
ସମ୍ବଲପୁରର ଜଣେ ଆଙ୍ଗନବାଡ଼ି କର୍ମୀଙ୍କ ସାହସିକ ବୟାନକୁ ନେଇ ସୋସିଆଲ୍ ମିଡିଆରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦିପଡ଼ା ଅଞ୍ଚଳର ବୋଲି କୁହାଯାଉଥିବା ଏହି ଆଙ୍ଗନବାଡ଼ି ଦିଦି ଏକ ସରକାରୀ କାର୍ଯ୍ୟକ୍ରମରେ ନିର୍ଭୟରେ ନିଜ ମତ ରଖିଥିବା ଦାବି କରାଯାଉଛି। ଏକ ସରକାରୀ କାର୍ଯ୍ୟକ୍ରମରେ ସେ ଆଙ୍ଗନବାଡ଼ି କର୍ମୀଙ୍କ ସମସ୍ୟା ଉଠାଇ କହିଥିଲେ ଯେ, ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ କର୍ମଚାରୀର ମାନ୍ୟତା ମିଳିନାହିଁ। ସେ ଆହୁରି ମଧ୍ୟ କହିଛନ୍ତିଯେ, ଗୋଟେ ଇଞ୍ଜିନ ରାଜ୍ୟରେ କାମ କରିପାରିଲା ନାହିଁ ବୋଲି ସେଥିଲାଗି ଡବଲ ଇଞ୍ଜିନ ସରକାର ଅଣାଗଲା | କିନ୍ତୁ ଅଙ୍ଗନବାଡ଼ି ଦୁଃଖ ସେମିତି ହିଁ ରହିଗଲା | ବିଭନ୍ନ ଯୋଜନା ଉପରେ ଚିନ୍ତା କରାଯାଉଛି କିନ୍ତୁ ଏହା ଉପରେ କାହାର ଚିନ୍ତା ନାହିଁ | ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କ ୨୦୦୦ ଟଙ୍କା ପଇସା ବଢାଯିବ ବୋଲି କୁହାଯାଇଥିଲା କିନ୍ତୁ ସେ ପଇସା ବଢିଲା ନାହିଁ ବୋଧେ ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ସେହି ପଇସା ବଢାଯିବ ବୋଲି କହିଛନ୍ତି | ଡବଲ ଇଞ୍ଜିନ ସରକାରଙ୍କ ପାଖରୁ ଆମେ ଆଶା କରୁଥିଲୁ ଆମ ଅଙ୍ଗନବାଡି କର୍ମୀ ମାନଙ୍କ ପାଇଁ କିଛି ଉନ୍ନତି କରିବେ କିନ୍ତୁ ପୂର୍ବରୁ ଯେମିତି ଆମ ଅବସ୍ଥା ଥିଲା ଏବେ ବି ଠିକ ସେମିତି | ୫୦ ବର୍ଷ ହେଲା କାମ କରି ଆସୁଛୁ କିନ୍ତୁ କୌଣସି ଉନ୍ନତି ନାହିଁ | ସବୁ ସରକାରୀ ଯୋଜନା କରାଯାଉଛି କିନ୍ତୁ ଅଙ୍ଗନବାଡି କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ମିଳୁନାହିଁ |
ଏହାପରେ କାର୍ଯ୍ୟକ୍ରମ ସମୟରେ ଉପମୁଖ୍ୟମନ୍ତ୍ରୀ ତାଙ୍କୁ “ନେତ୍ରୀଙ୍କ ଭଳି କଥା କୁହନ୍ତୁ ନାହିଁ” ବୋଲି କହିବା ପରେ ସେ ଏହାର ପ୍ରତିବାଦ କରି କହିଥିଲେ ଯେ, ସେ କୌଣସି ରାଜନୈତିକ କଥା ନୁହେଁ, ବରଂ ଆଙ୍ଗନବାଡ଼ି କର୍ମୀମାନଙ୍କ ବାସ୍ତବ ସମସ୍ୟା ଉପସ୍ଥାପନ କରୁଛନ୍ତି। ତାଙ୍କ ଏହି ସ୍ପଷ୍ଟ ବୟାନକୁ ଅନେକ ଲୋକ ସମର୍ଥନ କରିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି।
ଏହି ଘଟଣା ପରେ ଆଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ଏବଂ ରାଜ୍ୟର ସମସ୍ତ ଆଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ଥାୟୀ ଭବନ ନିର୍ମାଣ ଦାବି ପୁଣିଥରେ ଜୋର ଧରିଛି। କେତେକ ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଆଙ୍ଗନବାଡ଼ି କର୍ମୀଙ୍କ ଦୀର୍ଘଦିନର ଦାବି ପୂରଣ କରିବା ସହ ରାଜ୍ୟବ୍ୟାପୀ ସ୍ଥାୟୀ ଆଙ୍ଗନବାଡ଼ି ଭବନ ନିର୍ମାଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

