ଭୁବନେଶ୍ୱରରେ ଦ୍ରୁତଗାମୀ ମର୍ସିଡିଜ୍ର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ; ମଦ୍ୟପ ଅବସ୍ଥାରେ ଡ୍ରାଇଭିଂ ସନ୍ଦେହ
ଭୁବନେଶ୍ୱର: ଭୁବନେଶ୍ୱରର ଶାସ୍ତ୍ରୀନଗର ଟ୍ରାଫିକ୍ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ମର୍ସିଡିଜ୍ କାର୍ ବାଇକ୍କୁ ପଛପଟୁ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୂଆସାହି ଅଞ୍ଚଳର ଦେବୀ ପ୍ରସାଦ ରାଉତରାୟ । ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ ଥିବା ଲୋକଙ୍କ କହିବା ଅନୁସାରେ, ଦେବୀ ପ୍ରସାଦ ଟ୍ରାଫିକ୍ ସିଗ୍ନାଲରେ ଅପେକ୍ଷା କରିଥିବାବେଳେ ପଛପଟୁ ଆସୁଥିବା ଦ୍ରୁତଗାମୀ ମର୍ସିଡିଜ୍ ତାଙ୍କ ବାଇକ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ର ଏୟାରବ୍ୟାଗ୍ ଖୋଲିଯାଇଥିଲା ଏବଂ ବାଇକ୍ ଆରୋହୀ ପ୍ରାୟ ୧୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାର୍ରେ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ କାବୁ କରିଥିଲେ। ସେମାନେ ମଦ୍ୟପ ଅବସ୍ଥାରେ ଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ଏହାର ସରକାରୀ ପୁଷ୍ଟି ହୋଇନାହିଁ।
ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ହେପାଜତକୁ ନେଇଥିଲା। ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦାଖଲ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ପଶ୍ଚିମବଙ୍ଗ ନମ୍ବର ବିଶିଷ୍ଟ ଏହି କାର୍ରେ ଥିବା ଦୁଇ ଜଣଙ୍କ ପରିଚୟ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦେଇନଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି।

