ପ୍ରେମ ସମ୍ପର୍କକୁ ନେଇ ରକ୍ତାକ୍ତ କାଣ୍ଡ; ବେଲପଡ଼ାରେ ପ୍ରେମିକ-ପ୍ରେମିକାଙ୍କ ଉପରେ ମାରଣାନ୍ତକ ଆକ୍ରମଣ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଥାନା ଅଞ୍ଚଳରେ ବିଫଳ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ପ୍ରେମିକାଙ୍କୁ ଛୁରାମାଡ଼ କରାଯିବା ପରେ ପ୍ରେମିକଙ୍କ ମୁଣ୍ଡକୁ ପଥରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ବେଲପଡ଼ା ଥାନା ଅନ୍ତର୍ଗତ ସାଇନଗର ପଡ଼ାରେ ପ୍ରେମ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ବିବାଦ ଉଗ୍ର ରୂପ ନେବାରୁ ପ୍ରେମିକାଙ୍କ ପେଟରେ ଛୁରାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏହାପରେ ପ୍ରେମିକ ମୁନ୍ନା ବେହେରାଙ୍କ ମୁଣ୍ଡକୁ ପଥରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା କୁହାଯାଉଛି। ଗୁରୁତର ଆହତ ମୁନ୍ନା ବେହେରା ମୁରିବାହାଲ ଥାନା ଅନ୍ତର୍ଗତ କତରଲଗା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
ଘଟଣାର ଖବର ପାଇ ବେଲପଡ଼ା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ପ୍ରେମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଆହତ ପ୍ରେମିକାଙ୍କ ମଧ୍ୟ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ପୁଲିସ ମାମଲା ରୁଜୁ କରି ଘଟଣାର ପ୍ରକୃତ କାରଣ ଓ ଆକ୍ରମଣ ପଛର ପରିସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଶେଷ ପରେ ଘଟଣା ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।

