ଶିକ୍ଷାମନ୍ତ୍ରୀଙ୍କୁ ଲାଞ୍ଚ ଯାଚିବା ମିଥ୍ୟା ଅଭିଯୋଗରେ ଫସାଉଥିଲେ ସମ୍ପାଦକ! ଭାଇରଲ ହେଲା ଅଡିଓ
ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ବିଭାଗର ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି ବିଜେପି। ନିକଟରେ ଫୋକସ ପ୍ଲସ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଏନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ | ସେ କହିଥିଲେ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମତେ ବହି ଘଟଣା ଚାପିଦେବାକୁ ୫ ଲକ୍ଷ ଟଙ୍କା ଯାଚୁଛନ୍ତି | ଏହି ଘଟଣା ସାମଜିକ ଗଣାମଧ୍ୟମରେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା | ଏବେ ଏହି ଘଟଣାର ଆଉ ଏକ ଅଡିଓ ଭାଇରଲ ହେବାରେ ଲାଗିଛି | ଯେଉଁଥିରେ ସମ୍ପାଦକ ଜଣକ ମନ୍ତ୍ରୀଙ୍କ ବିରୁଦ୍ଧରେ ଏକ ସୁଚିନ୍ତିତ ଯୋଜନା ରଚିଥିବାର ଜଣାପଡୁଛି | ଅଡିଓରେ ସେ ଏହି କଥାକୁ ମିଛରେ କହିଛନ୍ତି ବୋଲି ସେ ନିଜେ ମାନିଛନ୍ତି | ଏହି କଥାକୁ କଡା ନିନ୍ଦା କରିଛି ବିଜେପି |
ଅପରପକ୍ଷରେ ବିଜେପି ଦଳର ସମ୍ପାଦକ ବିରଞ୍ଚି ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଘରୋଇ ଚ୍ୟାନେଲର ମୁଖ୍ୟ ସମ୍ପାଦକ ମନ୍ତ୍ରୀଙ୍କୁ ନିନ୍ଦିତ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଏହା ସାମ୍ବାଦିକତାର ନୈତିକତାକୁ କ୍ଷୁଣ୍ଣ କରୁଛି। ସେ ପ୍ରେସ୍ମିଟ୍ରେ ଚ୍ୟାନେଲର ଉମରକୋଟ ପ୍ରତିନିଧି ଓ ମୁଖ୍ୟ ସମ୍ପାଦକଙ୍କ ମଧ୍ୟରେ ହୋଇଥିବା ବୋଲି ଦାବି କରାଯାଇଥିବା ଏକ ଅଡିଓ କଥୋପକଥନ ମଧ୍ୟ ଶୁଣାଇଥିଲେ। ଏହା ସହ ଘଟଣାକୁ ଚାପି ଦେବା ପାଇଁ ମନ୍ତ୍ରୀ ୫ ଲକ୍ଷ ଟଙ୍କା ଦେବାକୁ ଚାହିଁଥିବା ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଖଣ୍ଡନ କରିଛନ୍ତି।
ବିଜେପି ଆହୁରି ଅଭିଯୋଗ କରିଛି ଯେ, ଏହି ସମଗ୍ର ଘଟଣା ପଛରେ ବିଜେଡିର ପରୋକ୍ଷ ଭୂମିକା ରହିଛି। ଦୀର୍ଘ ଦିନ କ୍ଷମତାରେ ରହିବା ପରେ ବିଜେଡି ବିରୋଧୀ ରାଜନୀତି କରିବାକୁ ଏଭଳି ପଦକ୍ଷେପ ନେଉଥିବା ବୋଲି ବିରଞ୍ଚି ତ୍ରିପାଠୀ କହିଛନ୍ତି। ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଏଫ୍ଆଇଆର୍ ଦାଖଲ ହୋଇଥିବା ବେଳେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ତେବେ ଏହି ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ | ସମ୍ପୃକ୍ତ ଘରୋଇ ଚ୍ୟାନେଲର ମୁଖ୍ୟ ସମ୍ପାଦକଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।

